ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବୁଲା କୁକୁର ଗଣନା କରାଯାଇଥିଲା। ଗତ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବିଏମସି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ କୁକୁର ଗଣନା କରାଯାଇଥିଲା । ବିଏମସି ଅଞ୍ଚଳରେ ୪୭,୧୨୬ ବୁଲା କୁକୁର ଥିବା ସୂଚନା ମିଳିଛି । ସେଥିରୁ ୨୩,୦୪୭ ଅଣ୍ଡିରା, ୧୫,୫୫୨ ମାଈ କୁକୁର ସହ ୧୧୨୪ଟି ଛୁଆ ରହିଛନ୍ତି । ୪୦୬୮ ଅଣ୍ଡିରା କୁକୁର ଓ ୩୩୩୫ ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି। ଭୁବନେଶ୍ବର ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ।

ପ୍ରତି ୱାର୍ଡରେ ହାରାହାରି ୭୦୩ ବୁଲା କୁକୁର। ସର୍ବାଧିକ ବୁଲା କୁକୁର ସଂଖ୍ୟା ଥିବା ୱାର୍ଡଗୁଡ଼ିକ ମଧ୍ୟରେ ୱାର୍ଡ ନମ୍ବର ୨୩, ୭, ୪୯, ୬୫, ୪, ୯, ୫, ୫୬, ୪୩ ଏବଂ ୬ ଅନ୍ତର୍ଭୁକ୍ତ। ୨୩ ନମ୍ବର ୱାର୍ଡ ୧,୭୦୩ କୁକୁର ସହିତ ତାଲିକାର ଶୀର୍ଷରେ ରହିଥିବା ବେଳେ ୬ ନମ୍ବର ୱାର୍ଡ ୧,୦୬୨ କୁକୁର ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ, ବୁଲା କୁକୁର ଗଣନା ପାଇଁ ଭୁବନେଶ୍ୱରର ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଥିଲା । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା । ବୁଲା କୁକୁର ଗଣନା ଦ୍ୱାରା କେଉଁ ୱାର୍ଡରେ କେତେ କୁକୁର ଅଛନ୍ତି ଜଣାପଡ଼ିବା ସହିତ ସହଜରେ ଖାଦ୍ୟ, ଭେକସିନ ଯୋଗେଇ ଦିଆଯାଇପାରିବ ।

Leave a Reply

Your email address will not be published. Required fields are marked *