୩ଟି କୋର୍ଟକୁ ଇ-ମେଲ ମାଧ୍ୟମରେ ଆସିଥିବା ବୋମା ଧମକକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଆଜି ରାଜ୍ୟରେ ପୂର୍ବାହ୍ନରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ କୋର୍ଟକୁ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ରାଜ୍ୟରେ ବିଭିନ୍ନ କୋର୍ଟକୁ ଏହି ବୋମା ଧମକ ଦର୍ଶାଉଛି ଗୃହ ବିଭାଗ ଅସହାୟ ହୋଇଯାଇଛି । ବିଜେପି ଦଳ ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସେ ଆଉ ମଧ୍ୟ କହିଛନ୍ତି ଓଡିଶା ଇତିହାସରେ ପ୍ରଥମ ଘଟଣା, କଟକ, ସମ୍ୱଲପୁର ଓ ଦେବଗଡ଼ କୋର୍ଟରେ ବୋମାର ଆତଙ୍କ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ – ମେଲ । କିଛି ସମୟ ମଧ୍ୟରେ କୋର୍ଟ ପରିସରରେ ବିସ୍ଫୋରଣ ହେବା ନେଇ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିଲେ । ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଛନ୍ତି । ସେହିପରି କଟକରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି । ଆମ ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ବିଚାରପତି, ଓକିଲ, ମକଦ୍ଦମାକାରୀ, କୋର୍ଟ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋପରି । ଭାରପ୍ରାପ୍ତ ଅଧିକାରୀମାନେ ମିଳିଥିବା ଧମକର ତ୍ୱରିତ, ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଞ୍ଚ କରନ୍ତୁ । ଧମକ କେଉଁଠୁ ଆସିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଠାବ କରି ଏହାର ନିଷ୍କର୍ଷ ସର୍ବସମ୍ମୁଖକୁ ଆଣନ୍ତୁ ବୋଲି ବିଜେଡି ଦାବି କରିଛି । ରାଜ୍ୟରେ ଭୟର ବାତାବରଣ ସୃଷ୍ଟିହେଇଛି । ଅପରାଧୀ ମାନେ ବିଜେପି ସରକାରକୁ ଡରିବା ତ ଦୂରର କଥା ଓଲଟା ଇ-ମେଲ ଧମକ ଦେଇଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ରାଜ୍ୟର ଜଣେ ସାମ୍ୱାଦିକଙ୍କୁ ଏଭଳି ଇ-ମେଲ ଜରିଆରେ ଧମକ ଦିଆଯାଇଥିଲା । ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କି ଏ ସଂପର୍କରେ ସ୍ପଷ୍ଟତା ଦେଲେ ନାହିଁ । ଏଥିରୁ ସ୍ପଷ୍ଟ ବାରି ହେଉଛି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଗୃହ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି । ଲେନିନ ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ପୋଲିସ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡିଛନ୍ତି । ନିକଟରେ ଡିଜିପି ବିଜେଡି ପ୍ରତିନିଧିଙ୍କୁ ଭେଟିବାକୁ ଅସହଜ ମନେ କରିଥିଲେ । ଏଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ ହେବା ଦରକାର । ଭୟର ବାତାବରଣ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ସାଧାରଣ ଜୀବନଯାପନକୁ ସ୍ୱାଭାବିକ କରନ୍ତୁ । Post navigation Stock Market Crash: ୨୬ ହଜାରରୁ ତଳକୁ ଖସିଲା ନିଫ୍ଟି Training Camp Of The Odisha Pradesh Mahila Congress: ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ