ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ଶେଷରେ ଆଜି ନିଲାମ କରାଯାଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ମୋଟ ବଳକା ଥିବା ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳକୁ ଆଜି ନିଲାମ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ବେଳେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା। ଏତେ ପରିମାଣର ଚାଉଳକୁ କ’ଣ କରାଯିବ ସେ ନେଇ ପ୍ରଶାସନ ଚିନ୍ତାରେ ପଡିଥିଲା। ପରେ ସେଥିରୁ ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା ତାର ବ୍ୟବହାର କରାଯାଇଥିଲା। ପରେ ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ। ତେଣୁ ଅର୍ପଣ କରାଯାଇଥିବା ଚାଉଳ ବ୍ୟବହାର କରାଯିବ ପରେ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ରହିଯାଇଥିଲା ତେଣୁ ଏହା ନଷ୍ଟ ହେବାକୁ ଲାଗିଥିବାରୁ ଆଜି ଏହାକୁ ନିଲାମ କରାଯାଇଛି । ଏଥିରୁ ମୋଟ ୨ କୋଟି ୮୬ ଲକ୍ଷ ଟଙ୍କା ମିଳିଲା ବୋଲି କହିଛନ୍ତି ଜିଲ୍ଲାପାଳ।

ସୂଚନଯୋଗ୍ୟ; ପୂର୍ବ ସରକାର ଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପାଇଁ ସାରା ଓଡିଶାରୁ ଅର୍ପଣ ଚାଉଳ ମଗାଯାଇଥିଲା। ଏଥିରେ ଜଗନ୍ନାଥ ଭକ୍ତମାନେ ବହୁ ପରିମାଣର ଚାଉଳ ପ୍ରଦାନ କରିଥିଲେ। ତେବେ ସେହି ସଂଗୃହିତ ଚାଉଳରୁ ଭୋଗ ପାଇଁ ଯାହା ବ୍ୟବହାର ଯୋଗ୍ୟ ତାହା ଲାଗି କରାଯାଇଥିଲା। ହେଲେ ଅନ୍ୟ ଚାଉଳ ସବୁ ବଳକା ରହିଥିଲା। ଏହି ଚାଉଳ ରହି ରହି ଖରାପ ହେବାକୁ ଲାଗିଥିବା ବେଳେ ଏହି ଖରାପ ଚାଉଳ ସବୁକୁ ନିଲାମ କରି ବିକ୍ରି କରିବା ପାଇଁ ସରକାରଙ୍କୁ ଚିଠି କରାଯାଇଥିଲା। ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଏହି ଅକ୍ଟୋବର ୧ ତାରିଖରେ ନିଲାମ ହେବ ବୋଲି ସୂଚନା ଦିଆଯାଇଥିଲା।

 

 

Leave a Reply

Your email address will not be published. Required fields are marked *