ସରକାରୀ ଚାକିରିରେ ସଂରକ୍ଷଣ ଲାଗି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର । ଏହି ଦୁଇ ବର୍ଗ ପାଇଁ ପୂର୍ବରୁ ଧାର୍ଯ୍ୟ ଥିବା କୋଟା ବା ସଂରକ୍ଷଣ ଭିତରେ ଆଉ ଏକ ଉପବର୍ଗୀକରଣ କରାଯାଇ ନିଷ୍ପେସିତ ଏବଂ ଅବହେଳିତ ଅବସ୍ଥାରେ ଥିବା ଅନୂସୂଚିତ ଜାତି ଓ ଜନଜାତିମାନଙ୍କ ଲାଗି ଅଧିକ ସଂରକ୍ଷଣ ସୁବିଧା ଦିଆଯାଇପାରିବ। ଏଥିସହ ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛଳ ବ୍ୟକ୍ତି ବିଶେଷ ଓ ସେମାନଙ୍କ ପରିବାର ବର୍ଗଙ୍କୁ ସଂରକ୍ଷଣ ସୁବିଧା ସୁଯୋଗରୁ ବାଦ ଦିଆଯିବ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୨୦୦୪ ଇ.ଭି. ଚିନୈୟା ମାମଲା ଶୁଣାଣି ସମୟରେ ଏସସି, ଏସଟିଙ୍କ ମଧ୍ୟରେ ଉପବର୍ଗୀକରଣ ହୋଇପାରିବ ନାହିଁ ବୋଲି ତତ୍କାଳୀନ ଖଣ୍ଡପୀଠ ଦେଇଥିବା ରାୟକୁ ବର୍ତ୍ତମାନର ୭ ଜଣିଆ ଖଣ୍ଡପୀଠ ଖାରଜ କରି ନୂଆ ରାୟ ଶୁଣାଇଛନ୍ତି। ଏସସି/ଏସଟିଙ୍କ ମଧ୍ୟରେ ଉପବର୍ଗୀକରଣ ସମ୍ପର୍କିତ ପିଟିସନର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୭ ଜଣିଆ ଖଣ୍ଡପୀଠ ଗଠନ ହୋଇଥିଲା। ମାମଲାର ଶୁଣାଣି ସମୟରେ ଜଣେ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ନୂଆ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଅନ୍ୟ ୬ ବିଚାରପତି ନିଷ୍ପତ୍ତି ସପକ୍ଷରେ ମତ ଦେଇଥିଲେ। ଏହା ପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଆମେ ଇି.ଭି ଚିନୈୟା ମାମଲାରେ ଦିଆଯାଇଥିବା ରାୟକୁ ଖାରଜ କରୁଛୁ। ଉପବର୍ଗୀକରଣ ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁନାହିଁ। କାରଣ ଉପବର୍ଗୀକରଣକୁ ସୂଚୀ ବାହାରେ ରଖାଯାଇ ନାହିଁ। ବିଚାରପତି ବି.ଆର. ଗଭଇ କହିଥିଲେ, ରାଜ୍ୟଗୁଡ଼ିକୁ ଏସସି, ଏସଟି ଭିତରେ ସ୍ଵଚ୍ଛଳ ବର୍ଗଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂରକ୍ଷଣରୁ ବାହାର କରିବା ଦରକାର। ରାଜ୍ୟ ସରକାର ଠିକ୍ ତଥ୍ୟ ଏବଂ ମାନଦଣ୍ଡ ଆଧାରରେ ଏହି ଦୁଇ ବର୍ଗ ମଧ୍ୟରେ ଉପବର୍ଗୀକରଣ କରିବା ଆବଶ୍ୟକ। Post navigation ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଲା ପୋଲିସ