ଆଜି ବି ଅନେକ ସ୍ଥାନରେ ଲୋକେ ଝଡ଼ାଫୁଙ୍କା, ଗୁଣି ଗାରେଡିରେ ବିଶ୍ୱାସ ରଖୁଛନ୍ତି। ଏଭଳି ଅନ୍ଧବିଶ୍ୱାସର କରୁଣ ପରିଣତିରୁ ଗଲା ମହିଳାଙ୍କ ଜୀବନ। ଏଭଳି ଅନେକ ଉଦାହରଣ ରହିଛି। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ କେଶାମ୍ ଗ୍ରାମ ଆଦିବାସୀ ସମ୍ପ୍ରଦାୟ ହୋ ସମାଜର ପିଙ୍କି ଜାମୁଦା(୩୬) ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି। ଡାକ୍ତରୀ ରିପୋର୍ଟ ଅନୁଯାୟୀ ସେ କିଡନୀ ରୋଗରେ ପୀଡିତ ଥିଲେ। ୩ଟି ସନ୍ତାନ ଥିବା ବେଳେ ସ୍ବାମୀଙ୍କର ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଥିଲା।

ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଥିବା ଦେଖି ସପ୍ତାହେ ପୂର୍ବରୁ ଭିନ୍ନ ଧର୍ମର ପ୍ରଚାରକମାନେ ଆସି ଆଦିବାସୀ ପରିତ୍ୟାଗ କରି ଧର୍ମାନ୍ତରୀଣ ହେଲେ ସୁସ୍ଥ ହୋଇଯିବ ବୋଲି ଆଶ୍ଵାସନା ଦେଇଥିଲେ। ପରେ ମହିଳା ଡାକ୍ତରୀ ପରାମର୍ଶ ଛାଡି ସକାଳେ ସନ୍ଧ୍ୟାରେ ପ୍ରାର୍ଥନା, ପୂଜାର୍ଚ୍ଚନା କରିବାକୁ ଲାଗିଲେ। ପରେ ତାଙ୍କୁ ଭିନ୍ନ ଧର୍ମର ଜଣେ ବ୍ୟକ୍ତିଙ୍କ ଘରେ ରଖାଯାଇଥିଲା। ସୁଧାର ନ ଆସିବାରୁ ମହିଳାଙ୍କୁ ନାବାଳିକା ଝିଅ ସୀତା ଜାମୁଦା ଶୁକ୍ରବାର ସକାଳେ ନିକଟସ୍ଥ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଭିନ୍ନ ଧର୍ମର ଲୋକମାନେ ପହଞ୍ଚିଥିଲେ। ସେଠାରୁ ବାରିପଦା ସ୍ଥାନାନ୍ତର ସମୟରେ ସେମାନେ ସେଠାରୁ ଚାଲି ଯାଇଥିଲେ। ବାରିପଦାରେ ପହଁଚିଲା ବେଳକୁ ପିଙ୍କି ଜାମୁଦାଙ୍କ ମୃତ୍ୟୁ ହୋଇ ସାରିଥିଲା। ଝିଅ ସୀତାଙ୍କ ପାଖରେ ୭୦୦ ଟଙ୍କା ଥିଲା। ମା’ଙ୍କ ମୃତ୍ୟୁ ପରେ ରାତି ହେବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିଲା ନାହିଁ।

ଝିଅ ସୀତା ସମ୍ପର୍କୀୟଙ୍କୁ ଯୋଗାଯୋଗ କରୁଥାଏ। ଏତିକି ବେଳେ ମନେ ପଡିଲା ତାଙ୍କର ପଡୋଶୀ ସମ୍ପର୍କୀୟ କକା ସୁନୀଲ ଜାମୁଦା ଦିଲ୍ଲୀ ରାଷ୍ଟ୍ରପତି ଭବନରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଫୋନ୍ ମାଧ୍ୟମରେ ଦୁଃଖ ଜଣାଇବାରୁ ସୁନୀଲ ଜାମୁଦା ବାରିପଦା ଶାଖା ସିଦାହରା ସୁସାର୍ ଆକାଳାର ସଦସ୍ୟ ଟିଟୋ ହେମ୍ବ୍ରମଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।

ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀର ଧର୍ମ ପ୍ରଚାରକମାନଙ୍କ ଦ୍ୱାରା ବେଆଇନ ଧର୍ମାନ୍ତରୀଣକୁ ରୋକିବା ପାଇଁ ପଦକ୍ଷେପ ନେବାku ହୋ ସମାଜର ବିଶିଷ୍ଟ ସାମାଜିକ କର୍ମୀ ମନୋରଞ୍ଜନ ତିରିଆ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *