ଆଜି ରଥରେ ଶ୍ରୀଜିଉଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହେଉଛି ବଡ଼ଦାଣ୍ଡ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାରରୁ ବାହାରିବ ମହଣମହଣ ସୁନା ଓ ରୁପା ଅଳଙ୍କାର। ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ହେବ ସୁନାବେଶ । ଭକ୍ତଙ୍କୁ ରାତି ୧୧ଟା ଯାଏଁ ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ମିଳିବ । ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର। ଶ୍ରୀଜିଉଙ୍କ ଏହି ସୁନ୍ଦର ବେଶ ଦେଖିବାକୁ ବ୍ୟାକୁଳ ଭକ୍ତ

ସେହିପରି ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରଯାଇଛି । ସକାଳ ୬ଟାରୁ ମଙ୍ଗଳ ଆଳତୀ ନୀତି ହୋଇଥିବା ବେଳେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ହେବ। ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି। ଆଉ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ରାତିରେ ପ୍ରଭୁଙ୍କୁ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ କରାଯିବା ସହ ହରିଶୟନ ନୀତି ଅନୁଷ୍ଠିତ ହେବ।

ଶ୍ରୀଜୀଉଙ୍କ ସୁନା ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥ ଚତୁଃପାର୍ଶ୍ବ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଉଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *