ଶକ୍ତି ମିଶନର ପୂର୍ବତନ ଅଧ୍ଯକ୍ଷା ସୁଜାତା ରାଉତଙ୍କର ଶକ୍ତି ହରଣ ହୋଇଥିଲା ଯେତେବେଳେ ଶଙ୍ଖ ସରକାର ଥିଲା । ଆପଣଙ୍କୁ କଥାଟି ଅଡ଼ୁଆ ଲାଗିପାରେ । କିନ୍ତୁ ସତ । ନିର୍ବାଚନ କମିଶନ ହିଁ କରିଥିଲେ ଶକ୍ତି ହରଣ। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ପଦରୁ ହଟାଇ ଦେଲେ । ଶକ୍ତି ମିଶନ ଅଧ୍ଯକ୍ଷ ପଦ ଗଲା । ଲୋକଙ୍କ ସହ ସମ୍ପର୍କ ନଥିବା ଅର୍ଥ ବିଭାଗର ସତନ୍ତ୍ର ସଚିବ କରିବାକୁ ବାଧ୍ଯ ହେଲେ ଶଙ୍ଖ ସରକାର । ଯିବେ କୁଆଡେ ?

ଗଲା ଜୁନ ମାସରେ ଅନେକ କିଛି ବଡ଼ ଘଟଣା ଘଟିଗଲା । ପପୁ ବାବୁଙ୍କ ସପ୍ନ ଭାଙ୍ଗିଗଲା । ମୋହନ ବାବୁ ଯାହା ଭାବି ନଥୁଲେ ତାଙ୍କୁ ତାହା ମିଳିଲା । ସିଏମ ହବା ସପ୍ନ ଦେଖୁଥିବା ପାଣ୍ଡିଆନ ସନ୍ୟାସୀ ହେଇଗଲେ । ପଦ୍ମ ଦଳିଆଙ୍କ ମୁହଁରେ ହସ ଫୁଟିଲା। ଶଙ୍ଖ ଦଳିଆ କବାଟ କଣରେ ସକେଇ କାନ୍ଦିଲେ । ଶକ୍ତିଶାଳିନୀ ସୁଜାତା ୬ମାସ ଛୁଟିରେ ଗଲେ । କାରଣ ଥିଲା ଯେ, ସେ ତାଙ୍କ ପିଲାପିଲିଙ୍କ ଯତ୍ନ ନେବେ। ନୂଆ ସରକାର ତାଙ୍କ ଛୁଟି ଆବେଦନ ମଞ୍ଜୁର କଲେ । କିନ୍ତୁ ଛୁଟି ପୁରିବା ପରେ ଆଉ ଅଫିସ ଯାଇ ମୁହଁ ଦେଖାଇବା ଲାଜର ବିଷୟ ଥିଲା ବୋଲି ଭାବିଲେ କ’ଣ ଆଉ ୬ମାସ ଛୁଟି ଆବେଦନ କଲେ । କିନ୍ତୁ ମୋହନ ସରକାର ସେ ଆବେଦନକୁ ଅଗ୍ରାହ୍ୟ କରିଦେଲେ।

ଅନ୍ୟ କେହି ପ୍ରତିକ୍ରିୟା ଦେଲେ ନାହିଁ । ହେଲେ ଅପରହାଉସର ମାନ୍ୟବର ସାଂସଦ ସୁଲତାଙ୍କୁ ଦେଖେ କିଏ? ଅତି ଉତ୍‌କ୍ଷିପ୍ତ ହେଇପଡିଲେ। ସଙ୍ଗେସଙ୍ଗେ ସାମାଜିକ ଗଣମାଧ୍ଯମରେ ମୋହନଙ୍କୁ ଆକ୍ଷେପ ବି କରିଦେଲେ । କହିଲେ, ଆପଣଙ୍କ ସ୍ତ୍ରୀ ଆୟୁଷ ଡାକ୍ତର । ସେ ତାଙ୍କ ପିଲାପିଲିଙ୍କର ଯତ୍ନ ନେଇପାରିବେ। ଛୁଟିରେ ରହି ପାରିବେ । କିନ୍ତୁ ଜଣେ ବରିଷ୍ଠ ଆଇଏଏସଙ୍କର ଛୁଟି ଆପଣ କ୍ୟାନସେଲ କରିବେ ?  ଏଭଳି ଛୋଟ ରାଜନୀତି ଦୟା କରି କରନ୍ତୁ ନାହିଁ । ଲାଗିଲା କଷ୍ଟ ଯେମିତି ସୁଜାତାଙ୍କୁ ହେଇନି, ହେଇଚି ସୁଲତାଙ୍କୁ । ଗୋଟିଏ ପ୍ରଶାସନିକ ନିଷ୍ପଭିରେ ଏମିତି ବାଉଳା କାହିଁକି ହେଲେ ସୁଲତା କେଜାଣି ? ମାଡାମଙ୍କ ସେଣ୍ଟ୍ରାଲ ସିଭିଲ ସର୍ଭିସ ଲିଭ ରୁଲ ୧୯୭୨ର ରୁଲ ୪୩ (ଗ)ଜଣାନାହିଁ । ତେଣୁ ସେ ଅବାନ୍ତର ଯୁକ୍ତି କରି ପୋଷ୍ଟ କରି ଚର୍ତ୍ତି ବୋଲି ସଙ୍ଗେସଙ୍ଗେ ଟୋଲ୍ ହେଲା। ଏହାପରେ ସୁଲତା ତାଙ୍କର ପୋଷ୍ଟଟିକୁ ହଟାଇ ନେଲେ । ଅପରହାଉସର ସଦସ୍ୟା ଯାହାହଉ ଶୀଘ୍ର ନିଜ ଭୁଲ ବୁଝିଗଲେ ।

ସୁଲତାଙ୍କ ପ୍ରତିକ୍ରିୟାରୁ ଅନ୍ତତଃ ଏତିକି ଜଣାପଡିଲା ଯେ, ସୁଜାତା ଶଙ୍ଖ ଦଳର ଭୋଟ ବ୍ୟାଙ୍କ ଦାୟିତ୍ୱରେ ଥିଲେ।

Leave a Reply

Your email address will not be published. Required fields are marked *