ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । କାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ସୁଭଦ୍ରା ଶକ୍ତି ମେଳା ବୋଲି ଆଜି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଆସନ୍ତାକାଲିଠୁ ନଅ ଦିନ ଧରି ଚାଲିବ ସୁଭଦ୍ରା ଶକ୍ତି ମେଳା । ଏହା ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ନୂଆ ରାସ୍ତା ଦେଖାଇବ । ରାଜ୍ୟବ୍ୟାପୀ ଏସ୍ଏଚ୍ଜି ମହିଳା ସାମିଲ୍ ହେବେ । ସ୍ୱୟଂ ସହାୟିକା ଗୋଷ୍ଠୀର ଯେଉଁ ମହିଳାମାନେ ନିଜର ସାମଗ୍ରୀ ତିଆରି କରୁଛନ୍ତି ସେମାନେ ଏଥିରେ ଅଂଶ ଗ୍ରହଣ କରିବେ । ଏହି ମେଳାରେ ମିଶନ ଶକ୍ତି ମାଆମାନେ ଯୋଗ ଦେବେ । ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ଵାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି ହେବ । ଛୋଟ ଛୋଟ ସାମଗ୍ରୀକୁ ମହିଳାମାନେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ । ମିଲେଟ୍ ଭିତ୍ତିକ ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ଖାଦ୍ୟ ପଦାର୍ଥ ଖାଇବାକୁ ମିଳିବ । ଏହା ସହ ରାଜ୍ୟବ୍ୟାପୀ ଅଂଶଗ୍ରହଣ ଓ ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆଞ୍ଚଳିକ ମେଳା ଆୟୋଜନ ହେବ । ସୁଭଦ୍ରା ଶକ୍ତି ମେଳା ସୁଭଦ୍ରା ଯୋଜନା ଉପରେ ଆଧାରିତ ନୁହେଁ ବୋଲି ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଓଡ଼ିଶାର ସମସ୍ତ ମାଆ, ଭଉଣୀ, ଉଦ୍ୟୋଗପତି, ଯୁବକମାନେ ମହିଳା ସଶକ୍ତିକରଣର ଭବ୍ୟ ମେଳାକୁ ଦେଖିବାକୁ ଆସିବାକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଗାଁରେ ଗାଁରେ ଛୋଟ ଛୋଟ କଣ୍ଢେଇ ତିଆରି କରୁଥିବା ମହିଳାଙ୍କୁ ମଧ୍ୟ ଏହା ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । Post navigation ବାଲିଯାତ୍ରାରେ ଆଦାୟ ହୋଇଛି ୬.୩୮ କୋଟି ଟଙ୍କା: ସୂର୍ଯ୍ୟବଂଶୀ ସୂରଜ ବିଧାନସଭା ଗୃହରେ ଆଜି ଅପରାହ୍ନ ୩ ଟାରେ ହେବ କିଟ୍ ପ୍ରସଙ୍ଗର ଶୁଣାଣି