ରାଜ୍ୟର ବାସହୀନ ପରିବାରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ଗୃହ ନିର୍ମାଣ ପାଇଁ ଜମି ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ‘ବସୁନ୍ଧରା ଯୋଜନା’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି।

​ଗତ ଦୁଇ ବର୍ଷର ସର୍ଭେ ଅନୁଯାୟୀ, ରାଜ୍ୟରେ ମୋଟ ୧,୦୧,୫୩୫ ଜଣ ବାସହୀନ ବ୍ୟକ୍ତି ଗଣନା କରାଯାଇଥିବା ବେଳେ ତଦନ୍ତ ପରେ ୪୪,୯୦୯ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି।

୨୦୨୪ ପ୍ରାରମ୍ଭିକ ସର୍ଭେରେ ୪୨,୯୧୫ ଜଣ ବାସହୀନଙ୍କ ମଧ୍ୟରୁ ୩୩,୦୮୨ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ, ଯେଉଁଥିରୁ ୩୦,୬୫୩ ଜଣଙ୍କୁ ଜମି ଆବଣ୍ଟନ କରାଯାଇସାରିଛି। ସେହିପରି ୨୦୨୫ ସର୍ଭେରେ ୫୮,୬୨୦ ଜଣ ବାସହୀନଙ୍କ ମଧ୍ୟରୁ ୧୧,୮୨୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ମିଳିସାରିଥିବା ବେଳେ ବାକି ୮,୨୨୯ ଜଣଙ୍କୁ ଜମି ପ୍ରଦାନ ପ୍ରକ୍ରିୟା ଜାରି ରହିଛି। ସମୁଦାୟ ଚିହ୍ନଟ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩୪,୨୫୧ ଜଣଙ୍କୁ ଜମି ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ୧୦,୬୫୮ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜମି ବଣ୍ଟନ କରାଯିବ।

​ଜମି ଆବଣ୍ଟନ ପ୍ରକ୍ରିୟାରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ଆଲୋଚନା କରିଛନ୍ତି। ଏହାସହ ବର୍ତ୍ତମାନ ଯୋଗ୍ୟ ବାସହୀନ ହିତାଧିକାରୀଙ୍କ ବାର୍ଷିକ ପରିବାର ଆୟ ସୀମା ୧ ଲକ୍ଷ ଟଙ୍କା ଥିବା ବେଳେ, ଏହି ଆୟ ସୀମାକୁ ମଧ୍ୟ ପୁନଃ ନିର୍ଦ୍ଧାରଣ କରିବାକୁ ବିଚାର କରାଯାଉଛି।

​ବାସହୀନ ପରିବାରଗୁଡ଼ିକୁ ସମ୍ମାନର ସହ ଜୀବନଯାପନ କରିବା ଏବଂ ନିଜସ୍ୱ ଘର ତିଆରି କରିବାର ସ୍ୱପ୍ନ ପୂରଣ କରିବା ପାଇଁ ବସୁନ୍ଧରା ଯୋଜନା ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜିଲ୍ଲା ସ୍ତରରେ ଥିବା ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରି ଅବଶିଷ୍ଟ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଜମି ଯୋଗାଇ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *