କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସବୁ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି । ମନ୍ଦିର କାର୍ଯ୍ୟର କ୍ରିୟାଶୀଳ ଏବଂ ଉତ୍ତରଦାୟୀ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଶ୍ରୀମନ୍ଦିରର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଘୋଷଣା ହୋଇଛି । ସେଗୁଡିକ ହେଲା:-

୧) ୨୦୨୪ ବର୍ଷ ପାଇଁ ଶ୍ରୀମନ୍ଦିର ସମସ୍ତ କର୍ମଚାରୀମାନେ ନିଜର ସମ୍ପତ୍ତି ତାଲିକା ଦାଖଲ କରିବେ । ଜାନୁଆରୀ ୩୧ ତାରିଖ ସୁଦ୍ଧା ୨୦୨୪ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ । ଯଦି ସମ୍ପତ୍ତି ତାଲିକା ନ ଦିଅନ୍ତି ତେବେ ଦରମା ବୃଦ୍ଧି, ପଦୋନ୍ନତି ଏବଂ ପୁରସ୍କାର ବନ୍ଦ କରାଯିବ । କୌଣସି ବି ଆର୍ଥିକ ପ୍ରୋତ୍ସାହନ ମିଳିବ ନାହିଁ ।

୨) ଡ୍ୟୁଟି ସମୟରେ କୌଣସି କର୍ମଚାରୀ ମାଦକ୍ୟ ଦ୍ରବ୍ୟ ଯଥା ପାନ ଗୁଟୁଖା ଭଳି କୌଣସି ଦ୍ରବ୍ୟ ସେବନ କରି ପାରିବେ ନାହିଁ । ତେବେ ପୂର୍ବରୁ ମଧ୍ୟ ମାଦକ ଦ୍ରବ୍ୟ ଏବଂ ମୋବାଇଲ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏହାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ନ ଥିବା ଦେଖାଯାଇଥିବାରୁ ଏହାକୁ କଡାକଡି କରାଯାଇଛି ।

୩) ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ ।

୪) ପ୍ରତି ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟକୁ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ ।

୫) ଶ୍ରୀମନ୍ଦିର ଭିତର ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

Leave a Reply

Your email address will not be published. Required fields are marked *