ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ୨୮ ଜଣ ନକ୍ସଲ ନିହତ ହୋଇଛନ୍ତି। ନାରାୟଣପୁର-ଦାନ୍ତେଓ୍ଵାଡା ଆନ୍ତଃଜିଲ୍ଲା ସୀମାରେ ଥିବା ଅଭୁଜମାଡର ଥୁଲଥୁଲି ଓ ନେନ୍ଦୁର ଗାଁ ମଧ୍ୟରେ ଥିବା ଜଙ୍ଗଲରେ ଅପରାହ୍ନ ପ୍ରାୟ ୧ଟା ବେଳେ ଗୁଳିବିନିମୟ ହୋଇଥିଲା ବୋଲି ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି ଫୋନ୍ ଯୋଗେ ସୂଚନା ଦେଇଛନ୍ତି। ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଓ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର କର୍ମଚାରୀମାନେ ସାମିଲ ହୋଇଥିଲେ।

ଏନକାଉଣ୍ଟର ସ୍ଥଳରୁ ୨୮ ଜଣ ନକ୍ସଲଙ୍କ ମୃତଦେହ ସହ ଗୋଟିଏ ଏକେ-୪୭ ରାଇଫଲ ଓ ଗୋଟିଏ ଏସଏଲଆର (ସେଲ୍ଫ ଲୋଡିଂ ରାଇଫଲ) ଜବତ କରାଯାଇଛି। ଆଇଜି କହିଛନ୍ତି, ଏହି ଅଞ୍ଚଳରେ ଏବେ ବି ଗୁଳି ବିନିମୟ ଜାରି ରହିଛି।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବସ୍ତର ଅଂଚଳରେ ପୃଥକ ଲଢେଇରେ ୧୮୫ ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ଦାନ୍ତେଓ୍ଵାଡ଼ା ଓ ନାରାୟଣପୁର ସମେତ ୭ଟି ଜିଲ୍ଲାକୁ ନେଇ ଏହି ଅଞ୍ଚଳ ଗଠିତ।

Leave a Reply

Your email address will not be published. Required fields are marked *