ଗଞ୍ଜାମ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ଘଟଣାର ପୁଙ୍ଖୁନାପୁଙ୍ଖ ତଦନ୍ତ କରିବ। ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରିବ ସ୍ବତନ୍ତ୍ର ତଦନ୍ତକାରୀ ଟିମ । ତଦନ୍ତ ସାରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ । ଏଥିସହ ତଦନ୍ତର ସାଇଣ୍ଟିଫିକ୍, ଫୋରେନ୍ ସିକ୍ ଓ ଡିଜିଟାଲ ପ୍ରମାଣ ସଂଗ୍ରହ କରିବ ଏସଆଇଟି ।

ଏହି ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି । ଗତକାଲି ଗିରଫ ଅଭିଯୁକ୍ତଙ୍କୁ ଥାନାକୁ ନେବା ବେଳେ ବହୁ ଗ୍ରାମବାସୀ ପୋଲିସ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ପରେ ଖଲ୍ଲିକୋଟ ଥାନାର ୧୦୦ ମିଟର ମଧ୍ୟରେ ୧୪୪ ଧାରା ଜାରି ହୋଇଥିଲା ।

ଏଥି ସହିତ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ( ହେଡ୍ କ୍ୱାର୍ଟର୍ସ ) ରାଧାକୃଷ୍ଣ ଶର୍ମା ଛତ୍ରପୁରରେ କ୍ୟାମ୍ପ କରିବେ । ଏଡିଜି ଆର.କେ ଶର୍ମା ଛତ୍ରପୁରରେ କ୍ୟାମ୍ପ ଅଫିସ୍ କରି ସେଠାକାର ଆଇନଶୃଙ୍ଖଳା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ନିର୍ବାଚନୀ ପୋଷ୍ଟର ମରାକୁ କେନ୍ଦ୍ରକରି ବୁଧବାର ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ରାଜନୈତିକ ହିଂସାକାଣ୍ଡରେ ଉଭୟ ପକ୍ଷର ୭ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲେ। ଏଣେ ଏଯାଏ ଏହି ମାମଲାରେ ୯ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହିଂସାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *