ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ପୁଣି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ। ପୁଣି ଦୋହରାଇଲା ସିବିଆଇ ତଦନ୍ତ । ଆଜି ସାମ୍ୱାଦିକ ସମ୍ମିଳନୀ କରି ବିଜେଡିର ନେତା ପ୍ରୀତିରଂଜନ ଘଡ଼େଇ ଅଭିଯୋଗ ଆଣିଛନ୍ତି । ପ୍ରୀତିରଂଜନ ଘଡ଼େଇ କହିଛନ୍ତି ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ସାମିଲ ଥିବା ବଡ଼ ମୁଣ୍ଡମାନଙ୍କୁ ଖସାଇବାକୁ ଉଦ୍ୟମ ହେଉଛି । କେବଳ ଦଲାଲଙ୍କୁ ଧରି ବାହାବା ନେବାକୁ ଚେଷ୍ଟା କରାଯାଉଛି । ରିଚ୍ ମାଇଣ୍ଡକୁ ପରୀକ୍ଷା ଦାୟିତ୍ଵରୁ ହଟାଇ କାହିଁକି ସିଲିକନ୍ କୁ ଦାୟିତ୍ଵ ଦିଆଯାଇଥିଲା। ଏହି ନିଷ୍ପତ୍ତି ପଛରେ କିଏ ଅଛି। ତାର ନାଁ ଖୁଲାସା କରନ୍ତୁ ସରକାର । ପ୍ରୀତିରଂଜନ ଆଉ ମଧ୍ୟ କହିଛନ୍ତି ଡିଜି, କ୍ରାଇମବ୍ରାଞ୍ଚ, ଓପିଆରବି ଏହି ମାମଲାରେ କାହିଁକି ଚୁପ୍ ରହୁଛନ୍ତି। ହଠାତ କାହିଁକି ମାର୍ଚ୍ଚ ୭ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଗଲା । ଏହି ସବୁ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କୁ ନ୍ୟାୟ ଦିଅନ୍ତୁ। ସେଥିପାଇଁ ସିବିଆଇ ତଦନ୍ତ କରାନ୍ତୁ । ନ ହେଲେ ଏହି ସରକାର ଓ ମୁଖ୍ୟମନ୍ତ୍ରୀ ଏହି ସ୍କାମରେ ସଂପୃକ୍ତ ବୋଲି ଧରାଯିବ। ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି । ପୋଲିସ ବିଭାଗରେ ଏହି ଦୁର୍ନୀତି ହୋଇଥିବା ବେଳେ ପୋଲିସ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ବାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ କହିଛି । ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି ଏହି ନିଯୁକ୍ତି ପରୀକ୍ଷାକୁ କରିବା ପାଇଁ ପ୍ରାଥମିକ ଭାବେ ଆଇଟିଆଇ ସଂସ୍ଥାକୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଏହା ଦୁଇ ଦୁଇଟି ସଂସ୍ଥାକୁ ଆଉଟସୋସିଂ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆଉଟସୋର୍ସି ନୀତି ସ୍ପଷ୍ଟ ହେବା ଦରକାର। କାହା ନିର୍ଦ୍ଦେଶରେ ଏପରି ଏକ ଅନଭିଜ୍ଞ କମ୍ପାନୀକୁ ଆଉଟସୋସିଂ କରାଯାଇଥିଲା । ଏହି ଆଉଟସୋସିଂ ମାଧ୍ୟମରେ ଦୁର୍ନୀତି କରିବା ପାଇଁ ବାଟ ତିଆରି କରିଥିଲେ ରାଜ୍ୟ ସରକାର। ଏହି ଘଟଣାରେ, ଓପିଆରବିର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ଗୃହ ବିଭାଗର ସଚିବ ତଦନ୍ତ ପରିସରଭୁକ୍ତ ହେବା ଦରକାର। ରାଜ୍ୟର ହଜାର ହଜାର ଚାକିରୀ ଆଶାୟୀ ଯୁବକ ଆଜି ଏହି ଘଟଣାରେ ହତାଶ ହୋଇଛନ୍ତି । ଏହି ଘଟଣାରେ ପୋଲିସ ଅଧିକାରୀ ମଧ୍ୟ ଅଭିଯୁକ୍ତ ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତରେ ନ୍ୟାୟ ମିଳିବା ନେଇ ସନ୍ଦେହ ରହିଛି । ତେଣୁ, ସିବିଆଇ ତଦନ୍ତ ଏକ ମାତ୍ର ବିକଳ୍ପ । Post navigation ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ