ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିରର ସ୍ଥାୟିତ୍ୱ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଅରବିନ୍ଦ ପାଢୀ କହିଛନ୍ତି ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି । ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ।

ସୂଚନାଯୋଗ୍ୟ, ଲଗାତର ଦୁଇ ଦିନ ଧରି ସେପ୍ଟେମ୍ବର ୨୧ ଓ ୨୨ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାମ ସରିଥିଲା। ୩ ଟି ଆଣ୍ଟିନା ମାଧ୍ୟମରେ ରତ୍ନଭଣ୍ଡାରର ସର୍ଭେ କରାଯାଇ ଡାଟା ଜେନେରେଟ୍ କରିଥିଲା NGRI ଟିମ୍ । ଭର୍ଟିକାଲ ଓ ହୋରାଇଯେଣ୍ଟାଲ ସର୍ଭେ କରାଯାଇ ବିଭିନ୍ନ ଡାଟା ସଂଗ୍ରହ କରିଥିଲେ ଏନ୍ ଜି ଆର୍ ଆଇ ବୈଜ୍ଞାନିକ । ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଥିଲା।

ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ନଥିବା ନଭେମ୍ବର ୧ ତାରିଖରେ ସ୍ପଷ୍ଟ କରିଥିଲେ ଆଇନ ମନ୍ତ୍ରୀ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡଙ୍ଗ ବା ଗୁପ୍ତ କୋଠରୀ ନ ଥିବା ଜଣା ପଡିଥିଲା। ତେବେ ରତ୍ନଭଣ୍ଡାରରେ ଫାଟ ରହିଛି । କାର୍ତ୍ତିକ ପରେ ଏଏସଆଇ ଏହାର ମରାମତି କରିବ । ଏହା ପରେ ଅଳଙ୍କାରର ଗଣତି କରାଯିବ ବୋଲି ଆଇନ ମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *