ୱକଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ରାଜନୈତିକ ମହଲରେ ବିଚାର ବିମର୍ଶ ଲାଗିରହିଛି। ବିଲକୁ ବିରୋଧ କରା ନଯିବାକୁ ନେଇ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଦଳର ବରିଷ୍ଠ ନେତା । ଜଣକ ପରେ ଜଣେ ବରିଷ୍ଠ ନେତା ଦଳୀୟ ଫୋରମ ଛାଡ଼ି ସର୍ବସାଧାରଣରେ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି । ଗତକାଲି ଗଣେଶ୍ୱର ବେହେରା ଓ ଦେବାଶିଷ ସାମାନ୍ତରାୟଙ୍କ ପରେ ଆଜି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ବିଜେଡିରେ କାଳବୈଶାଖୀ ଚାଲିଛି, ପବନର ବେଗ ଅଧିକ ରହିଛି । ଦଳ ଯେ କ୍ଷତି ସହିବନି ତାକୁ ଆମେ ଅସ୍ବୀକାର କରିବା ନାହିଁ । ଆମ ସଭାପତି ସବୁ ଧର୍ମକୁ ସମ୍ମାନ ଦିଅନ୍ତି । ସସ୍ମିତ ପାତ୍ରଙ୍କ ଘଟଣାର ଅନୁଧ୍ୟାନ କରାଯିବ।

ସେ ଆହୁରି କହିଛନ୍ତି, ସସ୍ମିତ ପାତ୍ର ନିର୍ଦ୍ଦେଶ ପାଳନ କରିବା ଲୋକ । ଏକାଧିକ ବ୍ୟକ୍ତି ଏହା ପଛରେ ଅଛନ୍ତି । ବିଜେଡିରେ କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ ।

ଅନ୍ୟପଟେ ଗତକାଲି ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ନାଁ ନନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଭି.କେ. ପାଣ୍ଡିଆନଙ୍କୁ ସ୍ପଷ୍ଟ ଭାବେ ଏସବୁ ନିମନ୍ତେ ଦାୟୀ କରିଥିଲେ ।

ସେ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ପାଣ୍ଡିଆନଙ୍କ ନାଁ ନନେଇ ତାଙ୍କୁ ଆକ୍ଷେପ କରି କହିଥିଲେ ରାଜନୀତି ନକରିବେ ବୋଲି କହି ରାଜନୀତିକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି କେବେ ରାଜନେତା ହୋଇପାରିବେ ନାହିଁ । ୱକଫ୍ ବିଲ୍ ପ୍ରସଙ୍ଗରେ ଯେଉଁ ନିଷ୍ପତ୍ତି ନିଆଗଲା ତାହା ଦଳର ନିଷ୍ପତ୍ତି ଥିଲା । ନବୀନଙ୍କୁ ଭୁଲ୍ ପରାମର୍ଶ ଦେଇ ଏଭଳି କରାଯାଇଛି । ନବୀନ ଏବେବି ପାଣ୍ଡିଆନଙ୍କ ହାତରେ ସଖି କଣ୍ଢେଇ ସାଜିଥିବା ପରୋକ୍ଷରେ ଦେବାଶୀଷ ଇସାରା ଦେଇଛନ୍ତି ।

ସେହିପରି ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରି ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ। ସେ କହିଛନ୍ତି ଯେ, ସନ୍ନ୍ୟାସ କଥା କହୁଥିଲେ, ଏବେ ବି ନବୀନ ନିବାସରେ ନିଷ୍ପତ୍ତି ନେଉଛନ୍ତି। ଯେଉଁ ପୂର୍ବତନ ବ୍ୟକ୍ତିଗତ ସଚିବ କହୁଛନ୍ତି ଦଳ ପାଇଁ କରିଛନ୍ତି। ମୁଁ କହୁଛି ଦଳ ବୁଡ଼ିବାରେ ସେ ହେଉଛନ୍ତି ପ୍ରମୁଖ କାରଣ। ତାଙ୍କର କାର୍ଯ୍ୟକଳାପ ପାଇଁ ନିର୍ବାଚନ ଫଳ ଭୋଗିଲୁ।

Leave a Reply

Your email address will not be published. Required fields are marked *