ମନ୍ତ୍ରୀଙ୍କ ଅପାରଗତା କିମ୍ବା ଅଫିସରରାଜ୍ ଯୋଗୁ ହେଉ ବିଧାନସଭାର ଗୁରୁତ୍ବପୂର୍ଣ୍ଣ ଏଷ୍ଟିମେଟ୍ କମିଟି ବୈଠକରେ ଯୋଗ ଦେଲେ ନାହିଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଗିରିଶ ଏସ୍.ଏନ୍ । ବୈଠକରେ କମିଟିକୁ କେହି ତଥ୍ୟ ବି ଦେଲେ ନାହିଁ । ତେଣୁ ବାଧ୍ୟହୋଇ ପରବର୍ତ୍ତୀ ବୈଠକ ତାରିଖ ଜୁଲାଇ ୩୦କୁ ଧାର୍ଯ୍ୟ ହେଲା। ବିଧାନସଭା ଏଷ୍ଟିମେଟ୍ କମିଟିର ଅଧ୍ଯକ୍ଷ ହେଲେ ଜୟନାରାୟଣ ମିଶ୍ର । ବିଭାଗୀୟ ମନ୍ତ୍ରୀ ହେଲେ ରବି ନାଏକ। ବହୁ ପୂର୍ବରୁ ଆଜି ବୈଠକ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମନ୍ତ୍ରୀ କିମ୍ବା କମିଟି ଅଧ୍ୟକ୍ଷଙ୍କୁ କାହିଁକି କେୟାର କରିବେ ସଚିବ ଗିରିଶ ? ବୈଠକରେ ଉପସ୍ଥିତ ଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ, ଭଟଲୀ ବିଧାୟକ ଇରାଶିଷ ଆଚାର୍ଯ୍ୟ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ବିଷମକଟକ ବିଧାୟକ ନୀଳମାଧବ ହିକ୍କା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଭଦ୍ରକ ବିଧାୟକ ସୀତାଙ୍କୁ ଶେଖର ମହାପାତ୍ର, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ପାନୀୟ ଜଳ ଏକ ବଡ଼ ସମସ୍ୟା ହୋଇ ଦେଖାଦେଇଛି। ଗତ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ରବି ନାଏକ ସ୍ବୀକାର କରିଥିଲେ ଯେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଅଧାପନ୍ତୁରିଆ ଛାଡ଼ି ଅଣଓଡ଼ିଆ କମ୍ପାନୀ ଅଗ୍ରୀମ ପଇସାପତ୍ର ନେଇ ପଳାଇ ଯାଇଛନ୍ତି। ତା’ଛଡ଼ା ଏଥର ଯେଭଳି ଝାଡ଼ାବାନ୍ତି ଓ ହଇଜା ବ୍ୟାପିଲା, ତାହାର ମୁଖ୍ୟ କାରଣ ମଧ୍ୟ ଦୂଷିତ ଜଳ । ନବୀନ ସରକାରଙ୍କ ଅମଳରେ ୨୦୨୦ ମସିହାରେ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଅଧିକାଂଶ ପ୍ରକଳ୍ପ ଯାଇଥିଲା ଅଣଓଡ଼ିଆ କମ୍ପାନୀ ହାତକୁ। ୨୦୨୩ରେ ପ୍ରକଳ୍ପ ସରିବା କଥା। କିନ୍ତୁ ଏବେ ୨୦୨୫ର ଅଧା ହୋଇସାରିଲାଣି। କିନ୍ତୁ ଅଧିକାଂଶ ପ୍ରକଳ୍ପ ସରିପାରୁ ନାହିଁ। ଏଥିପାଇଁ ଏଷ୍ଟିମେଟ୍ କମିଟି ବିଭିନ୍ନ ତଥ୍ୟ ଜାଣିବାକୁ ଚାହିଁଥିଲେ। ମଉକା ଦେଖି ସଚିବ ଅନୁପସ୍ଥିତ ରହିଲେ। ଅନୁପସ୍ଥିତ ସମ୍ପର୍କରେ ବିଧାନ ସଭା ସଚିବଙ୍କୁ ମଧ୍ଯ ଜଣାଇଲେ ନାହିଁ । ସବୁଠୁ ବିଡ଼ମ୍ବନା ହେଉଛନ୍ତି ବିଭାଗୀୟ ମନ୍ତ୍ରୀ। ପାନୀୟ ଜଳ ସମସ୍ୟା କାରଣରୁ ସରକାର ବଡ଼ ଚାପରେ। କିନ୍ତୁ ମନ୍ତ୍ରୀ ରବି ନାଏକ ବିଭାଗକୁ ନିୟନ୍ତ୍ରଣରେ ରଖିପାରୁଛନ୍ତି ନା ଅଫିସରଙ୍କୁ। କେଉଁ ଭିତିରି କାରଣ ରହିଛି ତାହା ସରକାର ଜାଣିଥିବେ। କିନ୍ତୁ ଜଣେ ଆଇଏଏସ୍ ଅଧିକାରୀ ବିଧାନସଭା କମିଟିକୁ ଏମିତି ହାଲୁକା ଭାବେ ନେବେ କାହିଁକି ? ମନ୍ତ୍ରୀ ନିଜ ଓଜନ ହରାଉଛନ୍ତି କେମିତି ? ଯେଉଁ ଅଧିକାରୀମାନେ ଆସିଥିଲେ ସେମାନେ କମିଟିକୁ କହିଥିଲେ ଯେ ମାତ୍ର ୭ଟି ମେଗା ପ୍ରକଳ୍ପ କାର୍ଯ୍ୟ ସରିଛି। କିନ୍ତୁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ବାକି ପଡ଼ିଥିବା ପ୍ରକଳ୍ପରେ କେଉଁକେଉଁ ସଂସ୍ଥା କାର୍ଯ୍ୟ କରୁଛନ୍ତି, ମୂଳ ପ୍ରକଳ୍ପ ଖର୍ଚ୍ଚ ଅଟକଳ କେତେ ଥିଲା, ଏବାବଦରେ କୌଣସି ତଥ୍ୟ କମିଟିକୁ ମିଳି ନଥିଲା । ଅଧ୍ୟକ୍ଷ ଜୟନାରାୟଣ ମିଶ୍ର ଘୋର ବିରକ୍ତି ପ୍ରକାଶ କରିଥିଲେ । କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କୁ ଅଫିସରମାନେ ଖାତିର କଲେ ସିନା ? ଆସନ୍ତା ୩୦ ତାରିଖରେ ଏଷ୍ଟିମେଟ୍ କମିଟିର ପରବର୍ତ୍ତୀ ବୈଠକ ବସିବ। ସେହି ବୈଠକକୁ ସଚିବ ଆସିବେ କି ନାହିଁ, ତାହା ମଧ୍ୟ ଦେଖୁବାକୁ ପଡ଼ିବ। ଆଜିର ବୈଠକକୁ ବିନା ସୂଚନାରେ ଏଡ଼ାଇଯାଇ ବିଭାଗୀୟ ସଚିବ କେବଳ କମିଟିର ଅବମାନନା କରି ନାହାନ୍ତି, ଅଧିକନ୍ତୁ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଅସମ୍ମାନିତ କରିଛନ୍ତି ବୋଲି ଜଣେ ବିଧାୟକ ନିର୍ଭୟକୁ କହିଛନ୍ତି । Post navigation ୱାକଫ୍ ବିଲ୍ ଭୋଟିଂ; ବିବେକ କଥା ମିଛ, ଏକତରଫା ଭୋଟ ଦେଇଛି ବିଜଦ ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ: ବିଜେପି