ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ଚଳିତ ସାଧାରଣ ନିର୍ବାଚନ ଓଡ଼ିଶାରେ ନୂଆ ରେକର୍ଡ ମଧ୍ୟ କରିଛି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ଯେ ଏହି ସାଧାରଣ ନିର୍ବାଚନରେ ମାର୍ଚ୍ଚ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୭୫କୋଟି ଟଙ୍କାର ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଜବତ କରିଛନ୍ତି । ଏଥିରେ ୨୦.୮୦କୋଟି ନଗଦ ଟଙ୍କା, ୪୦.୭୫କୋଟି ଟଙ୍କାର ମଦ, ୭୮କୋଟି ଟଙ୍କାର ନିଶାସାମଗ୍ରୀ ଓ ମାଦକଦ୍ରବ୍ୟ, ୧୪.୭୪କୋଟି ଟଙ୍କାର ସୁନା ଆଦି ସମେତ ମୂଲ୍ୟବାନ ଧାତୁ ଓ ୧୪୧.୫୭କୋଟି ଟଙ୍କାର ମାଗଣା ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ନିର୍ବାଚନ ସମୟରେ ଏତେ ପରିମାଣରେ ଟଙ୍କା ଓ ବିଭିନ୍ନ ସାମଗ୍ରୀ ପରିମାଣ ଜବତ ହେବା ଓଡ଼ିଶାରେ ପ୍ରଥମ ।

ସୁଚନା ଅନୁସାରେ, ଚଳିତବର୍ଷ ସାଧାରଣ ନିର୍ବାଚନ ସମୟରେ ଓଡିଶାରେ ଜବତ ହୋଇଥିବା ଟଙ୍କା ୧୭ ବର୍ଷରେ ୧୭ ଗୁଣ ବୃଦ୍ଧି ପାଇଛି । ଏହି ସାଧାରଣ ନିର୍ବାଚନରେ ୨୦.୮ କୋଟି ଟଙ୍କା ଜବତ ହୋଇସାରିଛି। ଗତ ଥର ଏହା ୧.୧୭ କୋଟି ଥିବା ବେଳେ ୨୦୧୪ରେ ୧.୮୯ କୋଟି ଟଙ୍କା ଥିଲା। ସେହିପରି ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ୪୦.୭୫ କୋଟି ଟଙ୍କାର ମଦ ଜବତ ହୋଇଛି। ୨୦୧୯ ଓ ୨୦୧୪ରେ ଏହା ଯଥାକ୍ରମେ ୯.୪୨ କୋଟି ଓ ୬.୬୫ କୋଟି ଟଙ୍କା ଥିଲା। ଏହା ୪ଗୁଣ ବୃଦ୍ଧି ପାଇଛି ।

ସେହିପରି ଚଳିତ ନିର୍ବାଚନରେ ମଦ ବ୍ୟତୀତ ଗଂଜେଇ ଓ ବ୍ରାଉନସୁଗାର କାରବାର ମଧ୍ୟ ଢେର ବୃଦ୍ଧି ପାଇଛି। ଏଥର ୭୮ କୋଟି ଟଙ୍କାର ଗଂଜେଇ ଓ ଧଳାଜହର ଧରାପଡ଼ିଥିବା‌ ବେଳେ ୨୦୧୯ ଓ ୨୦୧୪ରେ ଏହା ଯଥାକ୍ରମେ ୨୨.୦୨ ଓ ୭.୨୩ କୋଟି ଟଙ୍କାର ଥିଲା। ମୋଟାମୋଟି କହିବାକୁ ଗଲେ ୨୦୨୪ରେ ଜବତ ହୋଇଥିବା ନଗଦ, ମଦ, ଗଂଜେଇ ଓ ବ୍ରାଉନସୁଗାର ମୂଲ୍ୟ ୨୭୫ କୋଟି। ୨୦୧୯ରେ ଏହାର ପରିମାଣ ୪୪.୬ କୋଟି ଟଙ୍କା ଓ ୨୦୧୪ରେ ୨୦ କୋଟି ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *