ବିଦେଶରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ। ୧୯୯୧ ମସିହା ଜୁଲାଇ ୧ରୁ ୧୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୬.୯୧ ଟନ୍ ସୁନା ବନ୍ଧକ ରଖି ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଜାପାନ ପାଖରୁ ୪ ଶହ ମିଲିୟନ୍ ଟଙ୍କା ଯୋଗାଡ କରିପାରିଥିଲା। ଏଣିକି ଏହି ବନ୍ଧକ ସୁନାକୁ ଆରବିଆଇର ଷ୍ଟକରେ ସାମିଲ କରାଯାଇଛି। ଯାହାକି ଆରବିଆଇର ଏହା ଏକ ବଡ଼ ସଫଳତା ବୋଲି ଦେଶ ତଥା ଦେଶ ବାହାରେ ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁସାରେ, ଏବେ ଇଂଲଣ୍ଡରୁ ୧୦୦ ଟନ୍‌ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି। ଆରବିଆଇ ଅଧିକାରୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ସମାନ ପରିମାଣର ସୁନା ଭାରତକୁ ଫେରାଇ ଅଣାଯିବ। ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି।

ଲଣ୍ଡନରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏତେ ପରିମାଣର ସୁନା ଆଣିବାର ଯାତ୍ରା ସହଜ ନଥିଲା। ସଫଳତା ସହ ବିଦେଶରେ ବନ୍ଧକ ପଡ଼ିଥିବା ସୁନାକୁ ଭାରତ ଆଣିବା ପାଇଁ ମାସମାସ ଧରି ସମୟ ଲାଗିଥିଲା । ଏଥିପାଇଁ ଅନେକ ଦିନରୁ ତ୍ରୁଟିଶୂନ୍ୟ ଯୋଜନାର ପ୍ରସ୍ତୁତି ଚାଲିଥିଲା। କାରଣ ଏହି ଯୋଜନାରେ ତିଳେ ମାତ୍ର ତ୍ରୁଟି ଅନେକ ସମସ୍ୟା ସୃଷ୍ଟି କରି ଦେଇଥାଆନ୍ତା। ଏହି ଖବର ସାମ୍ନ‌ାକୁ ଆସିବା ପରେ ଏତେ ପରିମାଣରେ ବନ୍ଧକ ଥିବା ସୁନା ଭାରତକୁ କିପରି ଅଣାଗଲା ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *