ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା | ଏହି ଅବସରରେ ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ ରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ୯ ତାରିଖ ପର୍ଯ୍ୟନ୍ତ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ସର୍କିଟ ହାଉସ ଠାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରିବା ପରେ ହେଲିପ୍ୟାଡ୍ ସହ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ମାନଙ୍କ ଗାଡି ସେଠାରେ ପାର୍କିଂ ବ୍ୟବସ୍ଥା କରାଯାଇଥିବାରୁ ବିଭିନ୍ନ ଆବଶ୍ୟକୀୟ ସୁବିଧା ପ୍ରସ୍ତୁତ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ପରେ ଗଦାଧର ହାଇସ୍କୁଲ ଓ ପରେ ଶ୍ରୀମନ୍ଦିର ନିକଟରେ ଅତିଥି ମାନଙ୍କ ପ୍ରସ୍ତାବିତ ବସିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ସିଂହଦ୍ବାର ଠାରୁ ବଡ଼ଦାଣ୍ଡରେ ଯେପରି ଶ୍ରଦ୍ଧାଳୁ ମାନେ ସୁବିଧାରେ ରହି ମହାପ୍ରଭୁ ଙ୍କୁ ଦର୍ଶନ କରିବେ ଓ ରଥ ଟାଣିବେ ସେଥିନେଇ ମନ୍ତ୍ରୀ ତାହାର ଅନୁଧ୍ୟାନ କରିଥିଲେ।
ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ଆଇନ୍ ମନ୍ତ୍ରୀ । ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ ପରେ ସେ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ନେଇ ଖୁବ୍ଶୀଘ୍ର ତାରିଖ ଘୋଷଣା । ଗଜପତିଙ୍କ ସ୍ଲଟ ବୁକିଂ ଦ୍ବାରା ଦର୍ଶନ ପରାମର୍ଶ ଓ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରଥଯାତ୍ରା ପରେ ସମସ୍ତଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ଆଉ ମଧ୍ୟ କହିଛନ୍ତି ସରକାର ଓ ପ୍ରଶାସନର ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ସେହିପରି ପୂର୍ବ ବର୍ଷ ତୁଳନାରେ ଚଳିତ ରଥଯାତ୍ରାରେ ଅଧିକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ଭାବେ କରାଯାଉଛି। ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶୃଙ୍ଖଳିତ ଭାବେ କରିବା ପାଇଁ ରଥଯାତ୍ରା ପରେ ସମସ୍ତଙ୍କ ପରାମର୍ଶ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ।
ଏହି ପରିଦର୍ଶନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର, ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁ, ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।