ଆଜିଠୁ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ୪୮ବର୍ଷ ପରେ ଅଳଙ୍କାରର ଗଣତିମଣତି ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ଖୋଲିବ ଭିତର ରତ୍ନଭଣ୍ଡାର । ଏନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ତେବେ ୧୬ ରୁ ୧୮ ଯାଏଁ ଆଉ ଏକ ପର୍ଯ୍ୟାୟରେ ଗଣତି ମଣତି କରାଯିବ। ଜିଲ୍ଲା ଟ୍ରେଜେରୀରୁ ପ୍ରତିଦିନ ଚାବି ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲାଯିବା ପରେ ଗଣତି ମଣତି କାର୍ଯ୍ୟ କରାଯିବ। ଗଣତି ମଣତି କାର୍ଯ୍ୟ ଶେଷ ପରେ ପ୍ରତ୍ୟେକ ଦିନ ରତ୍ନଭଣ୍ଡାରକୁ ସିଲ୍ କରାଯାଇ ଚାବି କୁ ଜିଲ୍ଲା ଟ୍ରେଜେରୀରେ ରଖାଯିବ। ଗଣତି ମଣତି ସମୟରେ ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ କିଭଳି ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କରାଯିବ, କେଉଁମାନେ ଭିତରେ ଏବଂ ବାହାରେ ରହିବେ, କ’ଣ ସବୁ ବ୍ୟବସ୍ଥା ହେବ ସେନେଇ ସବିଶେଷ ଆଲୋଚନା ହୋଇଥିଲା । ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କ୍ରିନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ । ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲଗ୍ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ଯଦି କେବେ ଗଣତିମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ ।

ତେବେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ୧୧ ତାରିଖରେ ଶେଷ ହୋଇଛି। ଦୀର୍ଘ ୭ ଘଣ୍ଟା ଧରି ଅଳଙ୍କାର ଗଣତି ମଣତି କରାଯାଇଥିଲା।‌ ଏପ୍ରିଲ ୮ ରୁ ଆରମ୍ଭ ହୋଇଥିବା ଏହି ଗଣତି ମଣତି କାର୍ଯ୍ୟ ଶନିବାର ଶେଷ ହୋଇଥିଲା।‌

ସୂଚନା ଯୋଗ୍ୟ; ୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରରେ ସମୁଦାୟ ୩୬୭ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଏଥିମଧ୍ୟରେ ମସ୍ତକ ମୁକୁଟ, କୁଣ୍ଡଳ, ନାକଚଣା, ହାର, ବାଜୁବନ୍ଧ, ମୁଦି, ପୟର ଭଳି ବିଭିନ୍ନ ଅଳଙ୍କାର ଅଛି । ଭିତର ଭଣ୍ଡାରରେ ଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାରର ଓଜନ ସମୁଦାୟ ୪,୩୬୪ ଭରି । ସେହିଭଳି ୨୩୧ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ୧୪,୮୭୮ ଭରି । ସୋମବାର ଭିତର ରତ୍ନଭଣ୍ଡାର ଗଣତି ବେଳେ ଏହି ତାଲିକାକୁ ମେଳକ କରାଯିବ ।

Leave a Reply

Your email address will not be published. Required fields are marked *