ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି ସାରିବାକୁ ପ୍ରଚେଷ୍ଟା କରାଯାଉଥିବା ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି। ୧୯୭୮ର ଗଣତି ସହ ମେଳ କରାଯିବ । ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଡିଜିଟାଲ ଫଟୋଗ୍ରାଫିର ସହାୟତା ନିଆଯିବ। ବହୁମୂଲ୍ୟ ରତ୍ନରାଜିକୁ ଲମ୍ବା ସମୟ ପାଇଁ କିପରି ସୁରକ୍ଷିତ ରଖାଯିବ ସେନେଇ ବ୍ୟବସ୍ଥା କରାଯିବ।

ସେ ଆଉ ମଧ୍ଯ କହିଛନ୍ତି ଅତି ସତର୍କତାର ସହ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ସମସ୍ତ ପ୍ରକ୍ରିୟା ଆଗେଇ ଚାଲିଛି । ହେଲେ କିଛି ଲୋକ ବାକ୍ ବିତଣ୍ଡା କରୁଛନ୍ତି। ସୋସିଆଲ ମିଡିଆରେ କଦର୍ଯ୍ୟ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି। ଏହା ଜଗନ୍ନାଥଦ୍ରୋହଠୁ କିଛି କମ୍ ନୁହଁ।

ସୂଚନା ଯୋଗ୍ୟ; ଆଜିଠୁ ପୁଣି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ପୂର୍ବରୁ ଅର୍ଥାତ୍‌ ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାର ଗଣତିମଣତି ସରିଥିବା ବେଳେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତିମଣତି କରାଯିବ। ଏହା ଏପ୍ରିଲ ୮, ୯, ୧୦ ଓ ୧୧ ତାରିଖ ଲଗାତାର ୪ଦିନ ଧରି ଚାଲିବା ପରେ ପରବର୍ତ୍ତୀ ଗୋଟିଏ ଦିନ ଅର୍ଥାତ୍‌ ରବିବାର ବନ୍ଦ ରହିବ। ପୁନଶ୍ଚ ୧୩, ୧୬, ୧୭ ଓ ୧୮ତାରିଖରେ ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଆଧାରରେ ଗଣତିମଣତି ହେବ। ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଙ୍ଗ୍‌ କରାଯିବ।

Leave a Reply

Your email address will not be published. Required fields are marked *