ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟକୁ ଏକ ବଡ଼ ଜାତୀୟ ସ୍ୱୀକୃତି ମିଳିଛି। ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବ୍ୟବହୃତ ହେଉଥିବା ତିନି ରଥର ଚକ ଏବେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସ୍ଥାପିତ ହେବ। ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଭୁବନେଶ୍ୱରସ୍ଥିତ ଲୋକ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବ ଆନୁଷ୍ଠାନିକ ଭାବେ ପ୍ରଦାନ କରିଥିଲେ। ସ ଶତାବ୍ଦୀ ପୁରୁଣା ଜଗନ୍ନାଥ ସଂସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ରାଷ୍ଟ୍ରପତି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ଚକଗୁଡ଼ିକ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରୁ ନିଆଯିବ।

ଏହି ସାଂସ୍କୃତିକ ପ୍ରତୀକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାୟୀ ଭାବେ ସ୍ଥାପନ କରାଯିବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଭବନରେ ଜଗନ୍ନାଥ ସଂସ୍କୃତିର ପ୍ରଦର୍ଶନ ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ।

ପୂର୍ବରୁ ଅଗଷ୍ଟ ୨୦୨୫ରେ ନୂତନ ସଂସଦ ଭବନ ପରିସରରେ ରଥଚକ ସ୍ଥାପନର ପ୍ରସ୍ତାବ ଦିଆଯାଇଥିବା ବେଳେ ୨୯ ଅକ୍ଟୋବର ୨୦୨୪ରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ କୋଣାର୍କ ଚକର ଚାରୋଟି ପଥର ପ୍ରତିକୃତି ସ୍ଥାପନ କରାଯାଇଥିଲା। ଏହି ନୂତନ ପଦକ୍ଷେପ ଭାରତର ସାମ୍ବିଧାନିକ ପରିସରରେ ଓଡ଼ିଶାର ପ୍ରାଚୀନ ଐତିହ୍ୟକୁ ଆହୁରି ମଜବୁତ ଭାବେ ଉପସ୍ଥାପିତ କରିବ।

Leave a Reply

Your email address will not be published. Required fields are marked *