rajnagar-bdo-attacked-bjd-threatens-street-protests
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳାଙ୍କ ବିରୋଧରେ ଅପରାଧ ଓ ବିଜେପି ନେତା ଓ କର୍ମୀଙ୍କ ଦୌରାତ୍ମ୍ୟ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
 
ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ଆଇନ ଶୃଙ୍ଖଳାକୁ ହାତକୁ ନେବା ଏବଂ ଗୁଣ୍ଡାରାଜ ଚଳାଇବା ଭଳି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର ବ୍ଲକର ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଅମାନବୀୟ ଆକ୍ରମଣ ଏହାର ସଦ୍ୟତମ ଉଦାହରଣ ବୋଲି ବିଜୁ ଜନତା ଦଳ କହିଛି ।
 
ଡ଼ ସାମନ୍ତସିଂହାର କହିଛନ୍ତି ଯେ, ବିଜେପି କ୍ଷମତାସୀନ ହେବାପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୪୦,୯୪୭ କୁ ବୃଦ୍ଧି ପାଇଛି । ଦେଶର ଅପରାଧ ତାଲିକାରେ ଓଡିଶା ଅଷ୍ଟମ ସ୍ଥାନରେ ରହି ଏକ ଅଲୋଡ଼ା କୀର୍ତ୍ତିମାନ କରିଛି । ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ହେଉ, ବିଏମସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ବିଜେପି କର୍ମୀଙ୍କ ଅମାନବୀୟ ଆକ୍ରମଣ ଘଟଣା ହେଉ କି ନୀଳଗିରି ବିଧାୟକଙ୍କ ଅଶାଳୀନ ଟିପ୍ପଣୀ ମାମଲା ହେଉ, ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି, ଯାହା ଫଳରେ ଅପରାଧୀ ମାନଙ୍କ ମନୋବଳ ବଢ଼ି ଚାଲିଛି ।
 
ଡ଼ ସାମନ୍ତସିଂହାର କହିଥିଲେ, ରାଜନଗର ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଆକ୍ରମଣ ଘଟଣାକୁ ୩ ଦିନରୁ ଉର୍ଦ୍ଧ ସମୟ ବିତି ଯାଇଥିବା ବେଳେ, ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ରାଜନଗରରେ ଏହା ପ୍ରଥମ ଘଟଣା ନୁହେଁ । ପ୍ରାୟ ବର୍ଷେ ତଳେ ସେବେକାର ବିଡ଼ିଓ ଶୋଭନ ପଣ୍ଡା ପରେ ରବି ଆଚାର୍ଯ୍ୟଙ୍କ ଉପରେ ମଧ୍ୟ ବିଜେପି ରାଜନଗର ବିଧାୟକ ପ୍ରାର୍ଥୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏପରି ଆକ୍ରମଣ କରାଯାଇଥିଲା । ୨୦ ଦିନ ତଳେ ବିଡ଼ିଓ ଭାବେ ଯୋଗ ଦେଇଥିବା ତିଳୋତ୍ତମା ପୃଷ୍ଟିଙ୍କ ଉପରେ ଆଉଥରେ ଆକ୍ରମଣ କରାଯାଇଛି ।
 
ଡ଼ ସାମନ୍ତସିଂହାର କହିଥିଲେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯିଏକି ରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିଲେ, ସେ ମନମୋହନ ସାମଲଙ୍କ ଚିଙ୍ଗୁଡ଼ି ବ୍ୟବସାୟରେ ପାର୍ଟନର ଅଛନ୍ତି । ମନମୋହନଙ୍କ ଇଙ୍ଗିତରେ ତାଙ୍କୁ ବିଜେପି ସରକାର ସୁରକ୍ଷା ଦେଉଛନ୍ତି । ବିଜେପି ହିଂସାରେ ବିଶ୍ୱାସ କରେ, ଯାହାକୁ ସେମାନେ ରାଜ୍ୟରେ ସରକାରକୁ ଆସିବା ପରେ ବାରମ୍ୱାର ପ୍ରମାଣିତ କରୁଛନ୍ତି । ପ୍ରଶାସନିକ ବିଧି ବ୍ୟବସ୍ଥା ବିଜେପିର ପୈତୃକ ସମ୍ପତ୍ତି ନୁହେଁ । ବିଧି ବ୍ୟବସ୍ଥା ଲୋକଙ୍କ କାମ କରିବା ପାଇଁ ଅଛି । ଚବିଶ ଘଣ୍ଟା ଭିତରେ ଅପରାଧୀ ମାନଙ୍କୁ ଗିରଫ କରାନଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।
 
ଧ୍ରୁବ ସାହୁ କହିଥିଲେ ଯେ, ଏହି ଘଟଣାକୁ ଯେତେ କଡା ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ହେବ । ଅହଙ୍କାରର ବଶବର୍ତ୍ତୀ ହୋଇ ବିଜେପିର କର୍ମୀ ମାନେ ବ୍ଲକ ପଞ୍ଚାୟତକୁ ନିଜ କବ୍ଜାରେ ରଖିବାକୁ ଚାହୁଁଛନ୍ତି । ଗତକାଲି ଏହି ଘଟଣାର ଅଭିଯୁକ୍ତ ମାନେ ଥାନାରେ ପହଞ୍ଚି ମିଥ୍ୟା ଆରୋପ ଦେଇ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ପାଲଟା ଏଫଆଇଆର ରଖିବାରୁ ରାଜ୍ୟରେ ପୋଲିସ ଶାସକ ଦଳର ହାତବାରିସୀ ସାଜିଛି ବୋଲି ସ୍ପଷ୍ଟ ହେଉଛି । ତେଣୁ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ରାଜ୍ୟ ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ଅପରାଧୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

By Nirvay

Leave a Reply

Your email address will not be published. Required fields are marked *