ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ୨୪ ତାରିଖରେ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ଶ୍ରୀକ୍ଷେତ୍ରର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ । ନୀଳମାଧବଙ୍କ ସେବାୟତ ଓ ସ୍ଥାନୀୟ ବାସିନ୍ଦା ନୀଳମାଧବଙ୍କୁ ଦର୍ଶନ କରିବା ନିମନ୍ତେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ । କଣ୍ଟିଲୋବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ୨୪ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଥିବା ଶବର ରାଜା ବିଶ୍ବାବସୁ ଓ ଲଳିତାଙ୍କର ଜନ୍ମମାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଛି । ଜିଲ୍ଲାପାଳ ଏବଂ ଏସପି ପୂର୍ବ ସ୍ଥିତି ସମୀକ୍ଷା କରିଛନ୍ତି ।

ସୂଚନା ଯୋଗ୍ୟ, ରାଷ୍ଟ୍ରପତି ୨୪ ତାରିଖ ଦିନ ମଧ୍ୟାନ ସାଢେ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ। ସେଠାରେ ପୂଜାଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟକ୍ରମ ଯୋଗଦେବେ ।

Leave a Reply

Your email address will not be published. Required fields are marked *