ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ନିକଟରେ ଅନ୍ତରୀଣ ଜାମିନ ଜାପାଇଁ ସେ ଆବେଦନ କରିଥିଲେ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ବରିଷ୍ଠ ଓକିଲ ପ୍ରଭାତ ଦାସ କୋର୍ଟରେ ଜାମିନ ଆବେଦନ କରିଥିଲେ। ସରକାରୀ ଓକିଲ ଏବଂ ଜଗଦ୍ଦେବଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍ରେ ଇଭିଏମ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା। ୨୮ତାରିଖ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ସେ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଜେଲ ପରିସରରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ଅଧିକ ଚିକିତ୍ସା ପାଇଁ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ଭିତରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପଟେ ୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଭୋଟରେ ପରାଜିତ କରିଥିଲେ ।

Leave a Reply

Your email address will not be published. Required fields are marked *