ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇର ବରିଷ୍ଠ ପୁରୁଷ ଚୟନ କମିଟିର ଅଧ୍ୟକ୍ଷ କରାଯାଇଛି । ସେହିପରି ପୂର୍ବତନ ଭାରତୀୟ ସ୍ପିନର ରମେଶ ପାୱାରଙ୍କୁ କମିଟିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶାର ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ଟି ଟେଷ୍ଟ ଖେଳିଛନ୍ତି । ଚୟନ କମିଟିର ପାଞ୍ଚ ଜଣ ସଦସ୍ୟଙ୍କ ମଧ୍ୟରେ ତାଙ୍କର ଟେଷ୍ଟ ମ୍ୟାଚ୍ ଖେଳିବା ଅଭିଜ୍ଞତା ସର୍ବାଧିକ ଥିବାରୁ ବରିଷ୍ଠତା ଆଧାରରେ ତାଙ୍କୁ ଅଧ୍ୟକ୍ଷ କରାଯାଇଛି । ଏହି କମିଟିରେ ପ୍ରଜ୍ଞାନ ଓଝାଙ୍କ ସହ ଶିବସୁନ୍ଦର ଦାସ, ଆର୍ପି ସିଂହ, ଅଜୟ ରାତ୍ରା ଓ ରମେଶ ପାୱାର ରହିଛନ୍ତି । କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି)ର ସଦସ୍ୟ ଅଶୋକ ମାଲହୋତ୍ରା ଓ ଜତିନ ପରାଞ୍ଜପେଙ୍କ ସର୍ବସମ୍ମତ ସୁପାରିସ ପରେ ପୱାରଙ୍କୁ ଚୟନ କମିଟିରେ ସ୍ଥାନ ମିଳିଛି। ଗତ ସପ୍ତାହରେ ବିସିସିଆଇ ମୁଖ୍ୟାଳୟରେ ପ୍ରାର୍ଥୀମାନଙ୍କ ସାକ୍ଷାତକାର ନିଆଯାଇଥିଲା । ୱାସିମ ଜାଫର, ସଲିଲ ଅଙ୍କୋଲା, ଜାକବ ମାର୍ଟିନ ଓ କନର ୱିଲିୟମ୍ସ ମଧ୍ୟ ଏହି ପଦ ପାଇଁ ଦୌଡ଼ରେ ଥିଲେ । ୪୮ ବର୍ଷୀୟ ରମେଶ ପାୱାର ୨୦୦୪ରୁ ୨୦୦୭ ମଧ୍ୟରେ ଭାରତ ପାଇଁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ଖେଳିଥିଲେ । କୋଚ୍ ଭାବେ ସେ ଦୁଇଥର ଭାରତୀୟ ମହିଳା ଦଳର ଦାୟିତ୍ୱ ତୁଲାଇଥିଲେ । ତାଙ୍କ କୋଚିଂ ସମୟରେ ଭାରତ ଏସିଆ କପ୍ ଜିତିବା ସହ ୨୦୨୨ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା । ପରେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ, ବର୍ତ୍ତମାନର ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ସ୍ପିନ୍ ବୋଲିଂ କୋଚ୍ ଭାବେ କାମ କରିଥିଲେ । ତାଙ୍କ କୋଚିଂରେ ମୁମ୍ବାଇ ବିଜୟ ହଜାରେ ଟ୍ରଫି ଜିତିଥିଲା । ସେ ଗତ ଦୁଇଟି ସିଜିନ୍ରେ ଗୁଜରାଟର ବରିଷ୍ଠ ପୁରୁଷ ଦଳର କୋଚ୍ ଥିଲେ ଏବଂ ନିକଟରେ ଏହି ଦାୟିତ୍ୱ ଛାଡ଼ିଥିଲେ । ଭାରତ ବିପକ୍ଷ ସଦ୍ୟ ଦିନିକିଆ ସିରିଜ୍ରେ ସେ ଅଷ୍ଟ୍ରେଲିଆର ୧୯ ବର୍ଷରୁ କମ୍ ଦଳର ପରାମର୍ଶଦାତା କୋଚ୍ ଭାବେ ମଧ୍ୟ କାମ କରିଥିଲେ । ପୂର୍ବତନ ଅଧ୍ୟକ୍ଷ ଅଜିତ ଅଗରକରଙ୍କ ବିଦାୟ ପରେ ଚୟନ କମିଟିରେ ଏହି ପରିବର୍ତ୍ତନ ହୋଇଛି । ଅଗରକର ଜୁଲାଇ ୨୦୨୩ରେ ଏହି ଦାୟିତ୍ୱ ନେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଭାରତୀୟ ପୁରୁଷ ଦଳ ୩ଟି ଆଇସିସି ଟ୍ରଫି, ୨ଟି ଏସିଆ କପ୍ ଏବଂ ଲଗାତାର ଦୁଇଟି ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସୋମବାର ବିସିସିଆଇ ସଚିବ ଦେବଜିତ ସାଇକିଆ ଏକ ବିବୃତିରେ ଅଗରକରଙ୍କ ନିଷ୍ଠା ଓ ଅବଦାନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । Post navigation Delhi Court Extends Judicial Custody of 2 CJP Leaders: CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଜେଲ୍ ମିଆଦ ୨ ଦିନ ବୃଦ୍ଧି Matrimonial Scam: ଡାକ୍ଟର ପରିଚୟ ଦେଇ ଏକାଧିକ ମହିଳାଙ୍କୁ ଠକେଇ; ଗୋଆରୁ ଠକକୁ ଗିରଫ କଲା ଗଞ୍ଜାମ ସାଇବର ପୋଲିସ