ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଓଡ଼ିଶାକୁ ଆସିବାକୁ ଥିବା ଆଳୁ ଟ୍ରକ ଅଟକାଇ ସମସ୍ୟା ଦ୍ବିଗୁଣିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ ବଢୁଛି । ଏହାର ଫାଇଦା ନେଇ ଅନେକ ସ୍ଥାନରେ ବ୍ୟବସାୟୀମାନେ ଚଢାଦରରେ ଆଳୁ ବିକିବା ସହ କଳାବଜାରୀ କରୁଛନ୍ତି। ପରିବା ବଜାରରେ ମାହାଙ୍ଗା ମାଡ ସହ ଆଳୁ ଦର ବୃଦ୍ଧି ସାଧାରଣ ଜନତାଙ୍କ ସମସ୍ୟା ବଢ଼ାଇଛି । ରୋଷେଇ ଘରର ମୁଖ୍ୟ ପରିବା ଆଳୁ ହୋଇଥିବା ବେଳେ ଦର ଏବେ ଆକାଶ ଛୁଆଁ । ଏହା ସାଧାରଣ ଲୋକଙ୍କ ପକେଟକୁ ବେଶ୍ ବାଧୁଛି ।କେଉଁଠି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି ତ କେଉଁଠି ୭୦ ପାର। ଅନ୍ୟପକ୍ଷରେ ସରକାର ଯେତେ ଉଦ୍ୟମ କାଳେ ମଧ୍ୟ ଆଳୁ ସମସ୍ୟାର ସମାଧାନ ହୋଇପାରୁନି। ୟୁପିରୁ ଆଳୁ ଅଣାଯାଇଥିଲେ ମଧ୍ୟ ଚାହିଦା ମେଣ୍ଟାଇପାରୁନି ।

ଅନ୍ୟପଟେ ଆଳୁ ସଙ୍କଟ ଦୂର ପାଇଁ ଓଡ଼ିଶାକୁ ଆଳୁ ପଠାଇବା ବାବଦରେ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ଶୁକ୍ରବାର କୋଲକାତା ଯାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନୀଙ୍କର ଭଲ ସମ୍ପର୍କ ଅଛି। ସେ ବିଭିନ୍ନ ସମୟରେ କୋଲକାତାରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *