ଗୋଦାବରୀ ନଦୀ ଉପରେ ନିର୍ମିତ ହେବାକୁ ଯାଉଥିବା ପୋଲାଭରମ ପ୍ରକଳ୍ପ ବିରୋଧରେ ଆଜି ମାଲକାନଗିରିର ମୋଟୁଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳ ସମେତ ୧୪ ଟି ଆଦିବାସୀ ସଂଗଠନର ପ୍ରତିନିଧି, ଦଳିତ ସମାଜ, ବହୁଜନ ସମାଜ ପାର୍ଟି ଆଦି ବିଭିନ୍ନ ଦଳ ଓ ସଂଗଠନ ଅଂଶ ଗ୍ରହଣ କରି ପୋଲାଭରମ ପ୍ରକଳ୍ପ ବିରୋଧରେ ଲଢେଇ ଜାରୀ ରଖିବା ପାଇଁ ସଂକଳ୍ପ ଘୋଷଣା କରିଥିଲେ । ଭୁବନେଶ୍ୱରରୁ ଏହି ସମାବେଶକୁ ଭିଡିଓ କନ୍ଫରେନସିଂ ଜରିଆରେ ସମ୍ବୋଧିତ କରି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ମାଲକାନଗିରିର ଆଦିବାସୀ ଭାଇଭଉଣୀଙ୍କର ସ୍ୱାର୍ଥ ବିରୋଧୀ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ବହୁ ଗାଁ ଜଳମଗ୍ନ ହେବ ଏବଂ ହଜାର ହଜାର ଆଦିବାସୀ ସେମାନଙ୍କର ଭିଟାମାଟି ହରାଇବେ । ତେଣୁ ଏହି ପ୍ରକଳ୍ପକୁ ବିଜୁ ଜନତା ଦଳ ବିରୋଧ କରି ଆସୁଛି । ଏଥିପାଇଁ ସୁପ୍ରିମ କୋର୍ଟରେ ମଧ୍ୟ ମୋକଦ୍ଦମା କରାଯାଇଛି । ଏହି ପ୍ରକଳ୍ପ ବିଷୟରେ ଗୋଦାବରୀ ନଦୀ କୂଳସ୍ଥ ରାଜ୍ୟମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶକୁ ମଧ୍ୟ ଉପେକ୍ଷା କରାଯାଇଛି । ବିଜୁ ଜନତା ଦଳର ବିରୋଧ ଯୋଗୁଁ ପ୍ରକଳ୍ପ କାମ ଧିମେଇ ଯାଇଥିଲା । ପଟ୍ଟନାୟକ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ଯେଉଁ କ୍ଷତି ହେବ ସେ ସମ୍ପର୍କରେ ବିଭିନ୍ନ ସମୟରେ ସେ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ରାଜନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପ୍ରକଳ୍ପକୁ ସମର୍ଥନ କରୁଛି । ବିଜେପି ପାଇଁ ତାଙ୍କ ଦଳର ସ୍ୱାର୍ଥ ଆଦିବାସୀଙ୍କ ସ୍ୱାର୍ଥ ଠାରୁ ବଡ ହୋଇଯାଇଛି । ଗତ ଦୁଇ ଦୁଇଟି ବଜେଟ୍ରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ୧୮ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ପ୍ରକଳ୍ପ କାମକୁ ଆଗେଇ ନେବାକୁ ଚାହୁଁଛନ୍ତି । ରାଜନୈତିକ ଦୃଷ୍ଟିକୋଣ ଆଧାରରେ କେନ୍ଦ୍ରୀୟ ସମ୍ବଳର ବଣ୍ଟନ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି ବୋଲି ପଟ୍ଟନାୟକ ମତ ଦେଇ ପ୍ରକଳ୍ପ ବିରୋଧରେ ବିଜୁ ଜନତା ଦଳର ଲଢେଇ ଜାରୀ ରହିବ ବୋଲି ଘୋଷଣା କରିଥିଲେ । ପ୍ରକଳ୍ପର ସଂଶୋଧିତ ନକ୍ସାର ଉପଯୁକ୍ତ ସମୀକ୍ଷା, ମୂଲ୍ୟାୟନ ଏବଂ Back Water Computation ନ କରି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଏହା ଆମର ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ବଡ ବିପଦର କାରଣ ହୋଇଛି । ଗୋଦାବରୀ ନଦୀ ଜଳ ବିବାଦ Tribunal ର Award କୁ ଉଲ୍ଲଙ୍ଘନ କରି କେନ୍ଦ୍ର ଓ ଆନ୍ଧ୍ର ସରକାର ପ୍ରକଳ୍ପ କାମକୁ ଆଗେଇ ନେଉଥିବାରୁ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଓଡିଶାର ଜଣେ ବିଶିଷ୍ଟ ଆଦିବାସୀ ନେତା ବର୍ତ୍ତମାନ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଦାୟୀତ୍ୱରେ ଥିବାରୁ ଓଡିଶାର ଆଦିବାସୀ ଭାଇଭଉଣୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସେ ନିଶ୍ଚୟ ଉଦ୍ୟମ କରିବେ ବୋଲି ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ । ଏହି ସମାବେଶରେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବିଜେଡିର ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ରଙ୍କ ସମେତ ଛତିଶଗଡା, ଆନ୍ଧ୍ର ଓ ତେଲେଙ୍ଗାନାର ନେତାମାନେ ଯୋଗ ଦେଇ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । Post navigation ଲାଞ୍ଚ ନେଇ ଧରାପଡିଲେ କୁନ୍ଦୁଲି ଲ୍ୟାମ୍ପ ଶାଖା ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ ୨୦ ବର୍ଷର ହାଟ ସମସ୍ୟାର ସମାଧନ; ନୂଆ ରୂପ ନେବ ସହିଦ ନଗର ହାଟ