ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ବିଶାଳ ଜନସଭାରେ ଉଦବୋଧନ ଦେବେ। ସେ ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ଜଣା ପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ଘୋଷଣା ହେବା ପରେ ମୋଦୀଙ୍କର ଓଡ଼ିଶାରେ ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାରେ ମୋଦୀ କେଉଁଭଳି ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିକଟରେ ଏକ ଟିଭି ସାକ୍ଷାତକାରରେ ମୋଦୀ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ସୁଯୋଗ ଦେବାକୁ କହିଥିଲେ। ତେବେ ଓଡ଼ିଶା ଗସ୍ତ ସମୟରେ ମୋଦୀ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଛନ୍ତି କି ନା, ତାହା ଦେଖିବାକୁ ବାକି ରହିଲା। Post navigation ଦିଲ୍ଲୀ-ଏନସିଆର ରେ ଏକାଧିକ ସ୍କୁଲକୁ ବୋମା ଧମକ ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ୍