ଓଳାଶୁଣୀ ଯାଜପୁର ଜିଲ୍ଲାର । ଗୋବରୀ ନଦୀ କୂଳରେ ଓଳାଶୁଣୀ ଗୁମ୍ଫା । ମନ୍ଦିର ବି ଅଛି । ସାଧୂ ଅରକ୍ଷିତ ଦାସଙ୍କ ସମାଧିପୀଠ ପାହାଡ ଉପରେ । ଏଇଠି ଅରକ୍ଷିତ ଦାସ ଲେଖୁଥିଲେ ମୋହିମା ମଣ୍ଡଳ ଗୀତା। ଶୂନ୍ୟ ବ୍ରହ୍ମର ଉପାସକ ଥିଲେ ଅରକ୍ଷିତ। ରଜାଘରର ପୁଅ। ସବୁ ମୋହମାୟା କଟାଇ ଏଇଠି ସିଦ୍ଧି ଲାଭ କରିଥିଲେ । ପ୍ରତିବର୍ଷ ମାଘମାସ ଏକାଦଶୀରେ ଓଳାଶୁଣୀ ଯାତ୍ରା ହୁଏ । ପ୍ରବଳ ଭିଡ଼ । ପ୍ରାକୃତିକ ବିଭବରେ ଭରା ଓଳାଶୁଣୀ। ଏହାର ଅଳପ ଦୂରରେ ଲଳିତଗିରି । ଏଠି ଥିବା ମନ୍ଦିରରେ ମାଛ ଭୋଗ ହୁଏ । ଯାଜପୁର ଜିଲାର ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ହଉଚି ଓଳାଶୁଣୀ । ହଠାତ ଓଳାଶୁଣୀ ରାଜନୀତି କାରଣରୁ ଚର୍ଚ୍ଚା ଘେରକୁ ଆସିଚି । ଚର୍ଚ୍ଚା କିଆଁ ? ବୁଧବାର ଦିନ କେତେଜଣ ନେତା ସେଇଠି ଏକାଠି ହେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ଅମର ଶତପଥୀ, ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ ଓ ରବି ପାଣି ଏବଂ ରାମଚନ୍ଦ୍ର ହଂସଦା। କହିବାକୁ ଗଲେ ସମସ୍ତେ ପୂର୍ବତନ । ପ୍ରସନ୍ନ ପଦ୍ମ ଦଳରେ ଅଛନ୍ତି କି ନାହିଁ ତାହା ମଧ୍ୟ ବିଚାର କରିବା କଥା। ପ୍ରଭାତ କହୁଚନ୍ତି ଯେ, ସେ ଶଙ୍ଖ ଦଳରେ ଅଛନ୍ତି । ନବୀନ ବାବୁ କହୁଚନ୍ତି ନାହାଁନ୍ତି । ଅମର ବାବୁ ଶଙ୍ଖ ସଦସ୍ୟ ପଦ ରିନ୍ୟୁ କରିନାହାଁନ୍ତି । ରବି ବାବୁ ପଦ୍ମ ଦଳରେ। ସୌମ୍ୟ ବାବୁଙ୍କୁ ଶଙ୍ଖରୁ ବାହାର କରି ଦେଇଚନ୍ତି ନବୀନ ବାବୁ । ଏମାନେ ସମସ୍ତେ ଏକାଠି ହେଇ ଭୋଜି କରିବା ପରେ ରାଜନୀତିରେ ଆଉ ଏକ ଚର୍ଚ୍ଚା ଆରମ୍ଭ ହେଇଚି । ଏମାନେ ମେଳି କରିଚନ୍ତି । ଗୋଟିଏ ନୂଆ ଦଳର ପ୍ଲାନିଂ ଚାଲିଚି । ଓଡ଼ିଶାରେ ଶଙ୍ଖ ଦଳ ନାଁରେ ଆଞ୍ଚଳିକ ଦଳଟିଏ ଅଛି । କିନ୍ତୁ ଏହାର ମୌଳିକ ଗୁଣ କିଛି ନାହିଁ । ପଦ୍ମ ହାଇକମାଣ୍ଡଙ୍କ ବତୀପେଲା ରୋଗ ଘାରିଚି ଏହି ଦଳକୁ । ମୋଦୀ ଓ ଶାହା ଯାହା କହିବେ ତାହା ହିଁ ହଉଚି । ତେଣୁ ଆଉ ଏକ ଆଞ୍ଚଳିକ ଦଳ ପାଇଁ ବାତାବରଣ ରେଖି । କିନ୍ତୁ ନେତା କିଏ ହବ ? ସେ କଥା ପଛକୁ । କିନ୍ତୁ ଓଳାଶୁଣୀ ଭୋଜି ପରେ ବେଶି ଭାଳେଣୀରେ ଶଙ୍ଖ ଦଳର ନେତାମାନେ । ସେ ଦଳର ଅବସ୍ଥା ଭଲ ନାହିଁ । ସଂଜୟ ଦିଲ୍ଲୀରେ କେମିତି ଶୋଧା ଖାଇ ପଳେଇ ଆସିଲେ ସେକଥା ସମସ୍ତେ ଜାଣି ସାରିଲେଣି । ଅନେକ ସ୍ଵାଭିମାନୀ ନେତା ମଉକା ଖୋଜୁଚନ୍ତି । ଯଦି ଆଞ୍ଚଳିକ ଦଳଟିଏ ଗଢ଼ି ଉଠନ୍ତା ତେବେ ତ ଶଙ୍ଖ ଦଳ ଅବସ୍ଥା ବାରଣା ଦି’କଡ଼ା ହେଇଯାଆନ୍ତା। ଏହି ଚିନ୍ତା ତ ଘାରିଟି ଶଙ୍ଖ ନେତାଙ୍କୁ । Post navigation ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ହେବ ସରକାରୀ ବସ୍ ଭଡ଼ା: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ