ରାଜ୍ୟର ଚାକିରି ଆଶାୟୀ ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ପକ୍ଷରୁ କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍ ପାଇଁ  ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚୟନ ପ୍ରକ୍ରିୟା ମାଧ୍ୟମରେ ମୋଟ ୭,୨୬୮ଟି ବିଭିନ୍ନ ପୋଲିସ ଓ ସୁରକ୍ଷା ସମ୍ବନ୍ଧୀୟ ପଦବୀ ପୂରଣ କରାଯିବ।

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ପୋଲିସ୍, ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି, କମ୍ୟୁନିକେସନ୍, ଟ୍ରାଫିକ୍ ଏବଂ ଅଗ୍ନିଶମ ସେବାରେ ମୋଟ ୭,୨୬୮ଟି ପଦବୀ ପୂରଣ କରାଯିବ। ଏଥିମଧ୍ୟରେ ସିଭିଲ୍ କନଷ୍ଟେବଲ୍, କମ୍ୟୁନିକେସନ୍ କନଷ୍ଟେବଲ୍, OISF କନଷ୍ଟେବଲ୍, ଫାୟାରଫାଇଟର, ଫାୟାରଫାଇଟିଂ ଡ୍ରାଇଭର, ଡ୍ରାଇଭର PMT ଏବଂ ଟ୍ରାଫିକ୍ କନଷ୍ଟେବଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ସାମିଲ ରହିଛି।

ଏଥର ନିଯୁକ୍ତି ପ୍ରକ୍ରିୟାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀମାନେ ଗୋଟିଏ ମାତ୍ର ସଂଯୁକ୍ତ ପରୀକ୍ଷା ଦେଇ ଏକାଧିକ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ପୂର୍ବରୁ ପ୍ରତ୍ୟେକ ପଦବୀ ପାଇଁ ଭିନ୍ନ ଭିନ୍ନ ଆବେଦନ ଓ ପରୀକ୍ଷା ଦେବାକୁ ପଡ଼ୁଥିବାରୁ ଆଶାୟୀଙ୍କ ଉପରେ ଯେଉଁ ଅତିରିକ୍ତ ଚାପ ରହୁଥିଲା, ତାହା ଏବେ ଦୂର ହେବ। ଦଶମ କିମ୍ବା ଦ୍ୱାଦଶ ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିପାରିବେ। ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା ସହିତ ଶାରୀରିକ ମାପକ, ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଅନ୍ତର୍ଭୁକ୍ତ ରହିବ।

ସରକାରୀ ଚାକିରି ପରୀକ୍ଷାରେ ସ୍ୱଚ୍ଛତା ଏବଂ ସୁରକ୍ଷା ବଜାୟ ରଖିବା ପାଇଁ OUSSSC ନିରନ୍ତର ପ୍ରୟାସ କରୁଥିବା ବେଳେ କମିଶନଙ୍କ ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ନିରପେକ୍ଷ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି। ଆଶାୟୀମାନଙ୍କୁ କୌଣସି ଗୁଜବରେ ନପଡ଼ି କେବଳ OUSSSC ର ଅଫିସିଆଲ୍ ୱେବସାଇଟ୍ https://ousssc.odisha.gov.in ଅନୁଧ୍ୟାନ କରିବାକୁ ଏବଂ ଆବେଦନ ପୋର୍ଟାଲ୍ ଖୋଲିବା ପରେ ସାବଧାନତାର ସହ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର ଅନେକ ନିଯୁକ୍ତି ଆଶାୟୀ ଯୁବକଯୁବତୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି।

Leave a Reply

Your email address will not be published. Required fields are marked *