ୟୁପିଏ ସରକାର ତୁଳନାରେ ଏନ୍‌ଡିଏ ସରକାର ସମୟରେ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ଢେର ଅଧିକ ଅର୍ଥ ବରାଦ କରାଯାଇଛି । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶା ପାଇଁ ରେଳ ବଜେଟ୍‌ଙ୍ଗେ ବାର୍ଷିକ ହାରାହାରି । ୩୮ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୨୬-୨୭ରେ ୧୦,୯୨୮ କୋଟି ଟଙ୍କା ବରାଦ ହୋଇଛି, ଯାହାକି ପୂର୍ବ ତୁଳନାରେ ୧୩ଗୁଣରୁ ଅଧୂକ । ଓଡ଼ିଶାରେ ରେଳ ପ୍ରକଳ୍ପ ସଂକ୍ରାନ୍ତରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଉଛନ୍ତି ରେଳବାଇ, ସୂଚନା ପ୍ରସାରଣ ଏବଂ ଇଲୋକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ୫ବର୍ଷରେ ଓଡ଼ିଶାରେ ୨୬୭ କିଲୋମିଟର ଦୈର୍ଘ୍ୟର ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଥିବାବେଳେ ୨୦୧୪ରୁ ୨୦୨୬ ମଧ୍ୟରେ ୨୨୩୬ କିଲୋମିଟର ରେଳପଥ କାର୍ଯ୍ୟକ୍ଷମ ହୋଇଛି। ୨୦୦୯ରୁ ୧୪ ମଧ୍ୟରେ ବର୍ଷକୁ ହାରାହାରି ୫୩ କିଲୋମିଟର ନୂଆ ରେଳପଥ ହୋଇଥିବାବେଳେ ୨୦୧୪ରୁ ୨୬ ଭିତରେ ବାର୍ଷିକ ହାରାହାରି ୧୮୬ କିଲୋମିଟର ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଛି।

୨୦୨୬ ଏପ୍ରିଲ ପହିଲା ସୁଦ୍ଧା ୫୫ଟି ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯାଇଛି, ଯେଉଁଥିରେ ୪୨୫୬ କିଲୋମିଟର ରେଳପଥ ନିର୍ମିତ ହେବ। ଏଥିଲାଗି ୮୧,୭୩୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ୫୫ ଟି ପ୍ରକଳ୍ପ ମଧ୍ୟରୁ ୧୯ଟି ହେଉଛି ନୂଆ ରେଳପଥ ଯେଉଁଥରେ ଗତ ମାର୍ଚ୍ଚ ସୁଦ୍ଧା ୭,୨୮୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସେହିଭଳି ଆଉ ୩୬ଟି ପ୍ରକଳ୍ପ ରେଳପଥର ଦୋହରୀକରଣ ପାଇଁ ଚାଲିଛି ଯେଉଁଥିରେ ୨୧.୬୭୫ କେଟି ଟଙ୍କା ଖର୍ଚ ସାରିଲାଣି। ଇତି ମଧ୍ୟରେ ୧୧ଟି ରେଳ ପ୍ରକଳ୍ପ ସଂପୂର୍ଣ ଓ ଆଶିଂକ ଭାବେ ପୂର୍ଣାଙ୍ଗ ହୋଇଛି। ଏଗୁଡ଼ିକ ହେଲା ଦୈତାରୀ-ବାଂଶପାଣି, ଝାରସୁଗୁଡ଼ା-ସରଡେଗା, ହରିଦାସପୁର-ପାର ଦୀପ, ଅନୁଗୁଳ-ସୁକିନ୍ଦା, ଚମ୍ପା-ଝାରସୁଗୁଡ଼ା, ସମ୍ବଲପୁର-ଟିଟିଲଗଡ଼, ରାଉରକେଲା-ଝାରସୁଗୁଡ଼ା, ବାଂଶପାଣି-ଯଖପୁରା, ସମ୍ବଲପୁର-ତାଳଚେର, ରାୟପୁର-ଟିଟିଲାଗଡ଼ ଏବଂ ଝାରସୁଗୁଡ଼ା-ସରଡେଗା ବୋଲି ରେଳମନ୍ତ୍ରୀ ସଂସଦରେ ସୂଚାଇଛନ୍ତି।

ସାଂସଦ ଦିଲ୍ଲୀପ ରାୟ ଓଡ଼ିଶାରେ ନିର୍ମାଣାଧୀନ ରେଳ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରିବା ପାଇଁ ଦାବି କରିଛନ୍ତି । ଏହାଛଡ଼ା ରାଜ୍ୟର ଯେଉଁ ଜିଲ୍ଲାଗୁଡ଼ିକରେ ରେଳପଥ ନାହିଁ ସେଠାରେ ରେଳ ଯୋଗାଯୋଗ ବ୍ୟବସ୍ଥା କରିବା ଏବଂ ନୂଆକରି ମଞ୍ଜୁରୀ ପାଇଥିବା ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ତାଳଚେର-ବିମଳାଗଡ଼ ଏବଂ ବଲାଙ୍ଗୀର-ଖୋର୍ଦ୍ଧାରୋଡ୍ ରେଳ ପ୍ରକଳ୍ପ ନିର୍ମାଣ ୬ ମାସ ମଧ୍ୟରେ ଶେଷ କରି ୨୦୨୭ ମସିହାରେ ଯେଭଳି ଏହି ଦୁଇଟି ପ୍ରକଳ୍ପରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ରେଳ ଗମନାଗମନ କରେ ସେ ଦିଗରେ ଦୃଷ୍ଟି ଦେବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାଛଡ଼ା ରାଉରକେଲା ରେଳ ଷ୍ଟେସନର ଉନ୍ନତି ବିଧାନ ସହିତ ରଉରକେଲାରେ ସ୍ବତନ୍ତ୍ର ରେଳ ଡିଭିଜନ୍ ପ୍ରତିଷ୍ଠା ଲାଗି ମଧ୍ୟ ସେ ତାଙ୍କର ପୁରୁଣା ଦାବି ଦୋହରାଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଦିଲୀପ ରାୟ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ମନ୍ତ୍ରୀ ଥିବାବେଳେ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ଏବଂ ଯାହାର ଫଳସ୍ୱରୂପ ୨୦୦୩-୦୪ ବର୍ଷରେ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ହୋଇଥିଲା । ଏହା ସତ୍ତ୍ୱେ ଏହି ରେଳ ପ୍ରକଳ୍ପ ଏଯାବତ୍ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ସମସ୍ତ ବାଧାବିଘ୍ନକୁ ହଟାଇ ତୁରନ୍ତ ସୁରୁଖୁରୁଗେ ଏହି ଗୁରୁତ୍ବପୂର୍ଣ ରେଳପଥର ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *