ଦେଶରେ ହୋଇଥିବା ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ସର୍ବାଧିକ; ୫ ବର୍ଷରେ ୧୬୨୫ ଜଣଙ୍କ ମୃତ୍ୟୁ

ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହା କମିବାରେ ନାଆ ଧରୁନି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟ ସବୁଠୁ ଅଧିକ । ଏନେଇ ବିଧାନସଭା ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗତ ୫ବର୍ଷରେ ରାଜ୍ୟରେ ବଜ୍ରପାତରେ ୧୬୨୫ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର ଜିଲାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ୫ବର୍ଷରେ ଝାରସୁଗୁଡା ଜିଲାରେ ସର୍ବାଧିକ ୭୨ଜଣ ଓ ବଲାଙ୍ଗିରରେ ୫୫ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଯଥେଷ୍ଟ ପାଣ୍ଠି ଅଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା ଅଛି। ସେଥିରୁ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ୨୦୦ କୋଟି ଟଙ୍କା ରଖାଯାଇଛି। ବଜ୍ରପାତରେ ମୃତ୍ୟୁ ହେଲେ ୪ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଗବେଷଣା କହୁଛି ଖଣିଜ ପଦାର୍ଥ ହେଉଛି ବିଦ୍ୟୁତର ସୁପରିବାହୀ (ଗୁଡ କଣ୍ଡକ୍ଟର) ତେଣୁ ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଏହାର ସ୍ଥାୟୀ ନିରାକରଣ ପାଇଁ କିଛି ନୂଆ ଗବେଷଣା ଜାରି ରହିଛି । ବଜ୍ରପାତ ରୋକିବାକୁ ତାଳ ଗଛ ରୋପଣ ଉପରେ ଗୁରୁତ୍ବ ଦିଆଯାଉଛି । ତାଳ ଗଛ ଲଗାଇବା ପାଇଁ ରାଜସ୍ବ ବିଭାଗ ଜଙ୍ଗଲ ବିଭାଗକୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣ ଙ୍କୁ ଅବଗତ କରାଯାଉଛି। କେଉଁଠାରେ କ‌େବେ ବଜ୍ରପାତ ହେବ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ସଫଳ ହୋଇନାହାନ୍ତି। ଏନେଇ ଅନୁସନ୍ଧାନ ଜାରି ରହିଛି ।

କ୍ଷେତ ଓ ସ୍କୁଲରେ ବହୁ ସଂଖ୍ୟକ ଲୋକେ ବଜ୍ରପାତର ଶିକାର ହେଉଛନ୍ତି । ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *