ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ସୁଧାର ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।ରାଜ୍ୟରେ ଏବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ପାଇଁ ଆଉ ଅଲଗା ଅଲଗା ସଂସ୍ଥା ରହିବେ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ (BSE) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ର ମିଶ୍ରଣ କରାଯାଇ ଉଭୟ ଶ୍ରେଣୀ ପାଇଁ ଏକ ମାତ୍ର ବୋର୍ଡ କାର୍ଯ୍ୟ କରିବ ବୋଲି ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ତିରୁମାଲା ନାୟକ । ସେ କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମିଶ୍ରଣ ପାଇଁ ରାଜ୍ୟ ସରକାର ଆଇନଗତ ଚିଠା ପ୍ରସ୍ତୁତ କରୁଛନ୍ତି। ଆଇନ କାର୍ଯ୍ୟକାରୀ ହେବା ପରେ ନୂତନ ବୋର୍ଡ ପ୍ରତିଷ୍ଠା ପ୍ରକ୍ରିୟା ଆଗକୁ ବଢ଼ିବ। ରାଜ୍ୟ ସରକାର ଉଭୟ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ ଗଠନ ଦିଗରେ କାର୍ଯ୍ୟ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ବ୍ୟବସ୍ଥାଟି ସିବିଏସଇ ଢାଞ୍ଚାରେ ହେବ, ଯାହା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା କରିଥାଏ। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବୋର୍ଡ ମିଶ୍ରଣ ହେଲେ ମଧ୍ୟ ପରୀକ୍ଷା ପଦ୍ଧତି ଅପରିବର୍ତ୍ତିତ ରହିବ। କେବଳ ଦୁଇଟି ବୋର୍ଡକୁ ଏକାଠି ଗୋଟିଏ ବୋର୍ଡ ଅଧୀନକୁ ଅଣାଯିବ। ତେବେ ଏହି ନୂତନ ବ୍ୟବସ୍ଥା କେବେଠାରୁ ଲାଗୁ ହେବ, ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଗୋଟିଏ ବୋର୍ଡ ହେବା ଦ୍ୱାରା ପାଠ୍ୟକ୍ରମ ପ୍ରସ୍ତୁତି କିମ୍ବା ପରୀକ୍ଷା ପରିଚାଳନାରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ଏହା ବ୍ୟତୀତ, ରାଜ୍ୟ ସରକାର ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ଏହି ଯୋଜନା ଅଧୀନରେ ଡିଜିଟାଲ୍ ଲର୍ନିଂ ଏବଂ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। Post navigation Nuakhai: Navanna Ritual at Maa Manikeswari Shrine in Kalahandi on September 22 Delhi Building Collapse: Owner Hariram Gupta Arrested From Rajasthan