ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ଯୋଗ ଦିବସ ୨୦୨୫ ମହୋତ୍ସବ । ଏହି ସମାରୋହ ସହିତ ଜୁନ୍ ୨୧ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଦବ ଏହି ଯୋଗ ମହୋତ୍ସବକୁ ଉଦଘାଟନ କରିଛନ୍ତି। ସକାଳ ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ବିଶାଳ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ଆୟୁଷ ମନ୍ତ୍ରାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା, ଯୁଗ୍ମ ସଚିବ ମୋନାଲିସା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ଓଡ଼ିଶା ଜନସାଧାରଣଙ୍କୁ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଓ ନିରୋଗ ରହିବା ପାଇଁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯୋଗ ଆମ ପ୍ରାଚୀନ ସଭ୍ୟତାର ଏକ ଅମୂଲ୍ୟ ଉପହାର । ଏହା କେବଳ ବ୍ୟାୟାମର ମାଧ୍ୟମ ନୁହେଁ, ବରଂ ଶରୀର, ମନ ଏବଂ ଆତ୍ମାକୁ ଏକତ୍ର କରିବାର ଏକ ଗଭୀର ବିଜ୍ଞାନ। କଳିଙ୍ଗ ଷ୍ଟାଡିୟମ ଠାରେ ଏହି ଭବ୍ୟ ଯୋଗ ମହୋତ୍ସବର ଶୁଭାରମ୍ଭ ବନଔଷଧି ଚାରା ରୋପଣ ଦ୍ୱାରା କରାଯାଇଥିଲା । ଏହା ହରିତ୍ ଯୋଗର ପ୍ରତୀକ, ଯାହାଦ୍ୱାରା ଶରୀର, ମନ ଏବଂ ପ୍ରକୃତି ସନ୍ତୁଳିତ ହେବ । Post navigation ଚଳିତ ମାସରେ ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ ବିଶ୍ବ ସେୟାର ବଜାରରେ ହାହାକର; ୧୦ ସେକେଣ୍ଡରେ ନିବେଶକ ହରାଇଲେ ୧୯ ଲକ୍ଷ କୋଟି