ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନ୍ଦୋଳନ କରାଯିବ ବୋଲି ଆଜି ଦଳ ତରଫରୁ ଘୋଷଣା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି, କ୍ୟାସ୍ ଫର୍ ଜବ୍ ସ୍କାମ୍ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ବ୍ୟଥିତ କରିଛି । ତେଣୁ ଏହି ମହାଦୁର୍ନୀତିକୁ ପଦାକୁ ଆଣିବା ପାଇଁ ଆମେ ସିବିଆଇ ତଦନ୍ତ ଦାବି କରିଛୁ । କିନ୍ତୁ, ରାଜ୍ୟ ସରକାର ଏଥିରେ ସମ୍ପୃକ୍ତ ବଡମୁଣ୍ଡ ମାନଙ୍କୁ ଖସାଇ ଦେବା ପାଇଁ ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଛନ୍ତି । ଏହି ମହାଦୁର୍ନୀତିର ଚେର ରାଜ୍ୟର ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ୱିଛି । ଆମେ ମୁଖ୍ୟ ଅଭିଯୁକ୍ତର ଫଟୋ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ସହ ଥିବା ଫଟୋ ଜାରି କରିଥିଲୁ । କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପରିବର୍ତ୍ତେ, କିପରି ତଥ୍ୟ ପ୍ରମାଣକୁ ନଷ୍ଟ କରାଯିବ, ସେହି କାମରେ ବ୍ୟସ୍ତ ଅଛି । ଚାକିରି ବିକ୍ରିର ନିଲାମ ପାଇଁ ଦୁଇ ସଂସ୍ଥାକୁ ଦାଇତ୍ୱ ଦିଆଯାଇଥିଲା । ଓପିଆରବି କେଉଁ ନିୟମରେ, ଏହି ସଂସ୍ଥା ଗୁଡିକୁ ପରୀକ୍ଷା କରିବା ପାଇଁ ନିଯୁକ୍ତି ଦେଇଥିଲା, ସେ ପ୍ରଶ୍ନର ଉତ୍ତର ସରକାର ରଖୁନାହାନ୍ତି । ବିଜେପି ଏବେ ଲୋକସେବା ଭବନକୁ ଚାକିରି ବିକ୍ରୟ କେନ୍ଦ୍ରରେ ପରିଣତ କରିଛି । ତେଣୁ ସିବିଆଇ ତଦନ୍ତ ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜୁ ଯୁବ ଛାତ୍ର ଜନତା ଦଳ । ତେଣୁ ଏହି ମହାଦୁର୍ନୀତି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନେ୍ଦାଳନ ଆରମ୍ଭ ହେବ ଏବଂ ଏହା ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ସାହୁ କହିଥିଲେ । ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଥିଲେ, ନିଯୁକ୍ତି ଆଶାରେ ଥିବା ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଏବେ ହତାଶ ଅନୁଭବ କରୁଛନ୍ତି । ସେମାନଙ୍କ ଭିତରୁ ଅନେକ ଆମ ସହ ଯୋଗାଯୋଗରେ ଅଛନ୍ତି । ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏହି ନ୍ୟାୟ ଆନ୍ଦୋଳନ ପାଇଁ ଡାକରା ଦେଇଛି । ବିଜେପି ତରଫରୁ ସରକାରକୁ ଆସିଲେ ଦୁଇ ବର୍ଷରେ ଦେଢ଼ ଲକ୍ଷ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ, ଚାକିରି ଦେବା ପରିବର୍ତ୍ତେ ଏବେ ଚାକିରି ବିକ୍ରି କରାଯାଉଛି । ଓଡ଼ିଶାର ଯୁବ ଓ ଛାତ୍ର ମାନେ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବେ ଓ ସରକାରଙ୍କୁ ଉଚିତ ଜବାବ ଦେବେ । Post navigation ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୧ ବରିଷ୍ଠ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦେଲା ବିଜେଡି