ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶା। ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହୋଇଛି ନବାନ୍ନ । କୃଷିଭିତ୍ତିକ ଏହି ପର୍ବରେ ଲୋକମାନେ ନୂଆ ଫସଲକୁ ସ୍ୱାଗତ କରିବା ସହ ନିଜର ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି କରିଛନ୍ତି। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡିରୁ ଆରମ୍ଭ କରି ଦେବଗଡ଼ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ଏବେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସକାଳୁ ସକାଳୁ ଗାଁ ଗଣ୍ଡାରେ ଘଣ୍ଟ, କାହାଳୀ ଓ ମାଦଳର ଶବ୍ଦ ଗୁଞ୍ଜରିତ ହେବା ସହ ପିଠାପଣାର ମହକରେ ଘର ସବୁ ମହକି ଉଠିଛି। ସକାଳର ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ ‘ନବାନ୍ନ’ ଲାଗି କରାଯିବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ପ୍ରସାଦ ସେବନ କରିଛନ୍ତି। ନବାନ୍ନ ଭକ୍ଷଣ ପରେ ସାନମାନେ ବଡ଼ମାନଙ୍କ ଚରଣ ଛୁଇଁ ଆଶୀର୍ବାଦ ନେଇଛନ୍ତି। ପରେ ପରମ୍ପରା ଅନୁଯାୟୀ ବନ୍ଧୁପରିଜନ ଓ ଗ୍ରାମବାସୀଙ୍କ ମଧ୍ୟରେ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ନେତା ମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ନୂଆଖାଇର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଜୟ ଜଗନ୍ନାଥ, ଜୟ ମା’ ସମଲେଇ। ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ଆମ ମାଟି, ସଂସ୍କୃତି, ଜୀବନଶୈଳୀ ଓ ସାମାଜିକ ଏକତାର ସ୍ପନ୍ଦନ। ସମସ୍ତ ମନୋମାଳିନ୍ୟ ଓ ଅହଂକାର ଭୁଲି ବଡ଼ଙ୍କୁ ସମ୍ମାନ ଓ ସାନଙ୍କୁ ସ୍ନେହ ଆଶୀର୍ବାଦ ଦେବାର ଏହି ମହାନ ପରମ୍ପରା ଆମ ସମାଜ ଓ ଭ୍ରାତୃଭାବକୁ ଆହୁରି ସୁଦୃଢ଼ କରେ। ଏହାସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଛାତ୍ର, ଯୁବକ, କୃଷକ, ଶ୍ରମିକ ଓ ସୈନିକମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି। Post navigation CM Mohan Majhi Extends Nuakhai Greetings to People of Odisha No charges on UPI transactions up to Rs 2,000: ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ଏବଂ RuPay ନେଣଦେଣ ଶୁଳ୍କମୁକ୍ତ କଲେ କେନ୍ଦ୍ର ସରକାର