ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁରରେ ନିରାଡମ୍ବର ଢଙ୍ଗରେ ନିର୍ବାଚନ ପ୍ରଚାର କରି ଛନ୍ତି। ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ଆଜି କୋରାପୁଟ ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ମିନିଟ୍ରେ ତାଙ୍କର ପ୍ରଚାର ଶେଷ କରିଥିଲେ। ଲୋକଙ୍କୁ କାମର ହିସାବ ଦେଲେ ଓ ମତାମତ ଲୋଡିଲେ।ଉପସ୍ଥିତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ୭ଟି ପ୍ରଶ୍ନ ପଚାରିଥିଲେ । ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ ଆଦି ସବୁ କାମ ଭଲ ଚାଲିଛି ତ ? ପ୍ରତି ପ୍ରଶ୍ନରେ ଜନତା ହଁ ବୋଲି ଉତ୍ତର ଦେଇଥିଲେ।
ଏ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଡା ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମାନେ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି । ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ ।
ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା କହିଥିଲେ ଯେ ବିଜୁ ବାବୁ ମା ମାନଙ୍କ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନ ହୋଇ ସବୁ ବର୍ଗର ସଶକ୍ତି କରଣ କରୁଛି ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନି, ପଟାଙ୍ଗୀ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ, ଜୟପୁର ବିଧାନସଭା ପ୍ରାର୍ଥୀ ଇନ୍ଦିରା ନନ୍ଦ ଓ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପଡ଼ାଲ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।
ନବରଙ୍ଗପୁରର ମାଝୀଗୁଡା ଠାରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ପଚାରିଥିଲେ, ଆପଣମାନେ ଭଲ ଅଛନ୍ତି ତ? ମୁଖ୍ୟମନ୍ତ୍ରୀ ପଚାରିଥିଲେ ୧୧ ଟି ପ୍ରଶ୍ନ। ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ, ଟଙ୍କିକିଆ ଚାଉଳ, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ ରୂପାନ୍ତର, ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ ।
ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି ? ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ବୋଲି କହି ଭୋଟ ଦେବାକୁ ଅନୁରୋଧ କରିଥିଲେ ।
ସଭାରେ ଉପସ୍ଥିତ ବରିଷ୍ଠ ନେତା ଶ୍ରୀ ଭି କେ ପାଣ୍ଡିଆନ ଲୋକଙ୍କୁ ପଚାରିଥିଲେ କୋରାପୁଟ ମେଡିକାଲ କଲେଜ କିଏ କରିଛି । ଗୁପ୍ତେଶ୍ବର ମନ୍ଦିର ରୂପାନ୍ତର କିଏ କରିଛି। କୋରାପୁଟ ଜଗନ୍ନାଥ ମନ୍ଦିରର ରୂପାନ୍ତର କିଏ କରିଛି । କୋରାପୁଟରେ ଚର୍ଚ୍ଚର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି। ବରିଷ୍ଠ ନେତା ପାଣ୍ଡିଆନ ଲୋକଙ୍କୁ କହିଥିଲେ ଯେ ଓଡିଶାର ରୂପାନ୍ତରକୁ ଆହୁରି ଆଗେଇ ନେବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ । ସେ ମଧ୍ୟ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ପ୍ରଶ୍ନ ପଚାରି ଲୋକଙ୍କ ମତାମତ ନେଇଥିଲେ। ନବରଙ୍ଗପୁର ନୂଆ ସରକାରୀ କଲେଜ କିଏ କରିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ କିଏ କରିଛି। ମନ୍ଦିର, ମସ୍ଜିଦ, ଚର୍ଚ୍ଚ, ଅଲେକ ମହିମା ପୀଠ ଆଦିର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି। ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ ।
ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆଜି ନବରଙ୍ଗପୁରରେ ବିଜୁଳି, ସଡକ, ପାଣି ସୁବ୍ୟବସ୍ଥିତ ହୋଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିଛି। ଅନ୍ୟ ମାନଙ୍କ ମଧ୍ୟରେ ଉମରକୋଟ ବିଧାନସଭା ପ୍ରାର୍ଥୀ ନବିନା ନାୟକ, ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, ଝରିଗାଁ ବିଧାନସଭା ପ୍ରାର୍ଥୀ ରମେଶ ମାଝୀ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।