ବିରୋଧୀ ଦଳ ନେତା ଭାବେ ବିଫଳ ହୋଇଛନ୍ତି ନବୀନ ପଟନାୟକ । ବିଫଳ ହୋଇଛି ବିଜୁ ଜନତା ଦଳ । କହିବାକୁ ଗଲେ ବଡ଼ ଅନ୍ତଦ୍ୱନ୍ଧ୍ଵ ସତ୍ତ୍ୱେ କଂଗ୍ରେସ ବିଧାନସଭାରେ ତା’ର ପୂର୍ବ ପରିଚୟ ବଜାୟ ରଖୁଛି । କିନ୍ତୁ କାହିଁକି ନବୀନ ଓ ବିଜଦ ହେଲେ ବିଫଳ ? କାହିଁକି ଅତି ସୁରୁଖୁରୁରେ ବିଧାନସଭାକୁ ପାର କରିନେଲେ ମୋହନ ସରକାର ?

୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ। ନିର୍ବାଚନରେ କ୍ଷମତାଚ୍ୟୁତ ହେବାପରେ ବୋଧହୁଏ ଏଯାବତ ପରାଜୟ ଅପମାନ ହଜମ କରିପାରି ନାହାନ୍ତି । ଏଣେ ବିରୋଧୀ ଦଳ ନେତା ପଦ ପସନ୍ଦ ହେଉନାହିଁ। ଅନ୍ୟ କାହାକୁ ପଦ ଛାଡ଼ିବା ଅବସ୍ଥାରେ ନାହାନ୍ତି । କ୍ୟାବିନେଟ ପାହ୍ୟା ଯୋଗୁ ବୋଧହୁଏ ଅନିଚ୍ଛୁକ ବିରୋଧୀ ଦଳ ପାଲଟିଛନ୍ତି ନବୀନ ପଟ୍ଟନାୟକ।

ହାତରେ ତାଙ୍କର ୫୧ ଜଣ ବିଧାୟକ। ପୁଣି ବିରୋଧୀ ଦଳ ପଟେ ଅଛି ୧୪ ଜଣିଆ କଂଗ୍ରେସ । ବଜେଟ ଅଧିବେଶନ ପୂର୍ବରୁ ଅଟକଳ କରାଯାଉଥିଲା ଯେ ଏକ ବିରାଟ ବିରୋଧୀ ଦଳ ଅରଖ ନୂଆ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ ତାଙ୍କ ସରକାରକୁ ନାକେଦମ କରିଦେବେ । କିନ୍ତୁ ଦେଖାଗଲା ଯେ ଅତି ଆରାମରେ ବାହାରିଗଲେ ସରକାର | ପୁଣି ଏହା ବି ଦେଖ‌ିବାକୁ ମିଳିଲା ଯେ ମୁଖ୍ୟ ବିରୋଧୀ ଦଳ ବିଜଦ କଂଗ୍ରେସ ସହ ଥେଇଥେଇ ନାଚିଲା। କି ଅଜବ ଓ ଅସହାୟ ବିଜୁ ଜନତା ଦଳ !

ମୁଖ୍ୟମନ୍ତ୍ରୀ ଥିବାବେଳେ ନବୀନ ପଟ୍ଟନାୟକ ବିଧାନସଭାକୁ ଉପେକ୍ଷା କରୁଥିଲେ । ଆଶା କରାଯାଉଥିଲା ନୂଆ ଭୂମିକାରେ ସେ ଅଧୁକ ଫଳପ୍ରଦ ହେବେ। ମୋହନ ସରକାରଙ୍କୁ ପ୍ରତି ପଦକ୍ଷେପରେ ଘେରିବେ। ଅଣ ନିଃଶ୍ଵାସୀ କରିଦେବେ । ଯଥେଷ୍ଟ ଆଗରୁ ବଜେଟ ଅଧିବେଶନ ସରିଯିବ। କିନ୍ତୁ ପ୍ରଥମ ଅଧିବେଶନରେ ହିଁ ବାଜିମାତ କଲା ଭାଜପା।

ଦୁଇଦିନ ପୂର୍ବରୁ ଅଧିବେଶନ ବନ୍ଦ ହୋଇଥିଲେ ହେଁ ଆଉ କିଛି ବାକି ହିଁ ନଥିଲା । ନବୀନ ସରକାର ହୋଇଥିଲେ କେଉଁଦିନରୁ ବଜେଟ ଅଧିବେଶନ ବନ୍ଦ ହୋଇସାରିଥାନ୍ତା। ବିରୋଧୀ ଦଳ ନେତା ଭାବେ ନବୀନ ପଟନାୟକ ପ୍ରାୟତଃ ଆସୁ ନଥିଲେ । କିନ୍ତୁ ଗଣେଶ ପୂଜା ମଣ୍ଡପ ବୁଲିଥିଲେ । ଏତେବର୍ଷ ମୁଖ୍ୟମନ୍ତ୍ରୀ ଥାଇ ବିରୋଧୀ ଦଳ ନେତା ଆସନରେ ବସିବା ବୋଧେ ତାଙ୍କୁ ଅଡ଼ୁଆ ଲାଗୁଥିଲା । ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ଦେଖୁବାକୁ ମିଳିଲା ନାହିଁ ବଜେଟ ଅଧିବେଶନରେ । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଧିକାଂଶ ଦିନ ଅନୁପସ୍ଥିତ ରହୁ ଥିଲେ। ମୋର୍ଚ୍ଚା ସମ୍ଭାଳୁଥିଲେ ପ୍ରତାପ ଦେବ ଓ ଅରୁଣ ସାହୁ । ଏମିତି ଅବସ୍ଥା ହେଲା ଯେ ମୁଖ୍ୟ ବିରୋଧୀ ଦଳ ବିଜଦର ଦୁଇଜଣ ବିଧାୟକ ଧ୍ରୁବଚରଣ ସାହୁ ଓ ରୋମାଞ୍ଚ ବିଶ୍ଵାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ । ଶାସକ ଦଳରେ ଥିବାବେଳେ ବିଜଦ ଏଭଳି ବିଶୃଙ୍ଖଳିତ ସଦସ୍ୟମାନଙ୍କୁ ନିନ୍ଦା କରୁଥିଲା । କି ପରିବର୍ତ୍ତିତ ଦୃଶ୍ୟ !

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ପ୍ରସଙ୍ଗକୁ ନେଇ ଗୃହ ଅଚଳ କରିଥୁଲା ବିଜଦ । ବିରୋଧୀ ଦଳ ନେତା ନବୀନ ପଟନାୟକ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଅସ୍ମିତା କଥା ବି ଉଠାଇଥିଲେ । କିନ୍ତୁ ଏହାକୁ ନେଇ ଗୃହରେ ନା ଗୃହ ବାହାରେ ଘେରିପାରିଲେ ମୋହନ ସରକାରଙ୍କୁ ?

ଏହା ଏକ ଅଣପ୍ରସଙ୍ଗ ହୋଇ ଉଡ଼ିଗଲା। ଜାତି ଆଧାରିତ ଜନଗଣନା ପାଇଁ କଂଗ୍ରେସର ଦାବି ସହ ସର ମିଳାଇ ବିଜଦ ଗୃହକୁ ଅଚଳ କରିଥିଲା । ତାହା ମଧ୍ୟ ଫୁସୁକି ଗଲା । ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ବିଜଦର ଭୂମିକା ବା ଆଭି ମୁଖ୍ୟ କ’ଣ ତାହା ମଧ୍ୟ ଜଣାପଡ଼ିଲା ନାହିଁ । ଚିକିଟି ମଦ ମୃତ୍ୟୁ ଘଟଣାରେ କିଛି ସମୟ ହାଲ୍ଲାବୋଲି କରିଥିଲା ବିଜଦ । କିନ୍ତୁ ଓଡ଼ିଶାରେ ମଦ ପ୍ରସାରରେ ବିଜଦର ଭୂମିକା ସମସ୍ତଙ୍କୁ ଜଣା । ଦୁଇ ମାସିଆ ସରକାରକୁ ବିଷାକ୍ତ ମଦ ବ୍ୟାପାରରେ ଘେରିବା ପାଇଁ ଚେଷ୍ଟା କରି ବରଂ ବିଜଦ ହଟହଟା ହେଲା ।

ମୋହନ ସରକାରଙ୍କର ଅଧିକାଂଶ ମନ୍ତ୍ରୀ ନୂଆ । କିଛି ନୂଆ ମନ୍ତ୍ରୀ ପୂର୍ବ ନବୀନ ସରକାରଙ୍କ ଗୋହି ଭଲ ଢଙ୍ଗରେ ଖୋଲି ଦେଲେ ବିଧାନସଭାରେ । ରାଜସ ମନ୍ତ୍ରୀ ସୁରେଶ ପୂଜାରୀ ଏମିତି ଶୁଣାଇ ଦେଲେ ଯେ ପୂର୍ବ ସରକାରଙ୍କ ପାପ ବୋଝ କୁ ତାଙ୍କ ସରକାରକୁ ବୋହିବାକୁ ପଡ଼ୁଛି । କୃଷ୍ଣ ପାତ୍ର, ବିଭୂତି ଜେନା, କୃଷ୍ଣ ମହାପାତ୍ର ପରି ଅରଖ ନୂଆ ମନ୍ତ୍ରୀ ପୂର୍ବ ସରକାରଙ୍କ ନଥ୍ ଖୋଲିବା ଯୋଗୁ ବୋଧହୁଏ ବିଜଦ ଆକ୍ରମଣ କରିବା ଲାଗି ସାହସ ଜୁଟାଇ ପାରିଲା ନାହିଁ ।

ମୋଟାମୋଟି ଭାବେ ଦେଖୁଲେ ନବୀନ ବାବୁ ବିରୋଧୀ ଦଳ ନେତା ଭାବେ ସମ୍ପୂର୍ଣ ବିଫଳ ହୋଇଛନ୍ତି । ନିଜ ବିଧାୟକ ଓ ନେତାମାନଙ୍କୁ ନବୀନ ନିବାସକୁ ଡାକି ସେ ଆଈ ମା କାହାଣୀ ଶୁଣାଇଲେ ଦଳର ଭବିଷ୍ୟତ କଦାପି ଉଜ୍ଜ୍ଵଳ ହେବ ନାହିଁ।

Leave a Reply

Your email address will not be published. Required fields are marked *