ଶୁକ୍ରବାର ଦିନ ବିଳମ୍ବିତ ରାତିରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ ବୋଲି ନବୀନ କହିଛନ୍ତି । ଭସାଣି ସମୟରେ ଢେଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି । ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ଆଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅସହାୟ ମନେ ହେଉଛି । ବିଜେପି ସରକାରରେ ପୋଲିସ ଉପରେ ରହୁଥିବା ଚାପ ରାଜ୍ୟରେ ଆଇନଶୃଙ୍ଖଳାକୁ ବିଗାଡ଼ି ଦେଉଛି ବୋଲି ସେ ତାଙ୍କ ସୋସିଆଲ ମେଡିଆ ପୋଷ୍ଟରେ କହିଛନ୍ତି । ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସଦଭାବନା ତଥା ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ ବୋଲି ସେ କହିଛନ୍ତି । କହିରଖୁଛୁ ଯେ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ କଟକରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ କାରଣରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି । କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ, କଟକ ଦୁର୍ଗା ପୂଜା ଭସାଣିରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । Post navigation କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ; ଡିସିପିଙ୍କ ସମେତ ୬ ଆହତ ଭକ୍ତ ଚରଣ ଦାସଙ୍କ ପଦଯାତ୍ରା