ରାଜ୍ୟର ମେକାନିକ୍ ଭାଇମାନଙ୍କ ସର୍ବାଙ୍ଗୀନ ବିକାଶ ଓ ସାମାଜିକ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ଏହି ସୁପାରିଶ ସେମାନଙ୍କ ଜୀବନ ଓ ଭବିଷ୍ୟତରେ କିପରି ସ୍ଥାୟୀ ପରିବର୍ତ୍ତନ ଆଣିପାରିବ ତାହା ଉପରେ ଗୁରୁତ୍ଵ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିଗୁଡ଼ିକ ହେଲା: ପେନସନ ବ୍ୟବସ୍ଥା: ବୟସ ବୃଦ୍ଧି ସହ ଶାରୀରିକ ଶ୍ରମ କରିବାର କ୍ଷମତା ହ୍ରାସ ପାଏ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମେକାନିକ୍ମାନଙ୍କ ପାଇଁ ମାସିକ ପେନସନ ବ୍ୟବସ୍ଥା ଲାଗୁ ହେଲେ, ସେମାନେ ବାର୍ଦ୍ଧକ୍ୟରେ ଅନ୍ୟ କାହା ଉପରେ ନିର୍ଭର ନକରି ଆତ୍ମସମ୍ମାନର ସହ ଜୀବନଯାପନ କରିପାରିବେ। ମୃତ୍ୟୁ ହେଲେ ପରିବାରକୁ କ୍ଷତିପୂରଣ : ସେହିପରି ଦୁର୍ଘଟଣା କିମ୍ବା କର୍ତ୍ତବ୍ୟରତ ଅବସ୍ଥାରେ ଜୀବନ ଯିବା ଭଳି ଦୁଃଖଦ ଘଟଣା ଘଟିଲେ ମେକାନିକ୍ଙ୍କ ପରିବାର ଅନାଥ ହୋଇପଡ଼ନ୍ତି। ଏହି ଅବସ୍ଥାରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବା। ଇଞ୍ଜିନିୟର ମାନ୍ୟତା: ଏଥି ସହିତ ହାତରେ କାଳି-ମାଟି ଲଗାଇ କାମ କରୁଥିବା ଏହି କାରିଗରମାନଙ୍କୁ “ଇଞ୍ଜିନିୟର”ର ମାନ୍ୟତା ଦେବା ପ୍ରସ୍ତାବ ସେମାନଙ୍କ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିବ। ସ୍ୱତନ୍ତ୍ର ଦିବସ ଓ ଛୁଟି: ବିଶ୍ୱକର୍ମା ପୂଜା ଅବସରରେ “ମେକାନିକ୍ ଦିବସ” ପାଳନ ଓ ସରକାରୀ ଛୁଟି ଘୋଷଣା ସେମାନଙ୍କ କାର୍ଯ୍ୟକୁ ଜାତୀୟ ସ୍ତରରେ ସମ୍ମାନିତ କରିବ। ମେକାନିକ୍ କଲ୍ୟାଣ ପାଣ୍ଠି ଗଠନ: ମେକାନିକ୍ମାନଙ୍କ ପାଇଁ ସ୍ୱତନ୍ତ୍ର “ମେକାନିକ୍ କଲ୍ୟାଣ ବୋର୍ଡ” ଗଠନ କରିବା। ଏହା ବ୍ୟତୀତ, ଶ୍ରମ ବିଭାଗ ଅଧୀନରେ ଏକ “ମେକାନିକ୍ କଲ୍ୟାଣ ପାଣ୍ଠି” ଗଠନ କରିବାକୁ ମଧ୍ୟ ସାଂସଦ ପରାମର୍ଶ ଦେଇଛନ୍ତି। ସରକାର ଯଦି ଏହି ଦାବିଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରନ୍ତି, ତେବେ ରାଜ୍ୟର ଲକ୍ଷ ଲକ୍ଷ ମେକାନିକ୍ ପରିବାରର ଭବିଷ୍ୟତ ସୁରକ୍ଷିତ ହୋଇପାରିବ ବୋଲି ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। Post navigation Mega Blood Donation Camps in Odisha: ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ; ମେଗା ରକ୍ତଦାନ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ