ଧର୍ମଶାଳାରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ମୁହାଁମୁହିଁ ହେବା ପରେ ତେଜିଛି ରାଜନୀତି । ଧର୍ମଶାଳାରେ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ୍ ଲିକୁଙ୍କ ସମର୍ଥକ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ତାଙ୍କ ଦଳ କର୍ମୀଙ୍କୁ ଆକ୍ରମଣ ଘଟଣା ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଗତକାଲି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ରେ ଘଟିଥିବା ରାଜନୈତିକ ହିଂସା କାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଘଟଣାକୁ ସେ ନିନ୍ଦା କରି ଆକ୍ରମଣ ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା ନେଇ ସେ କହିଛନ୍ତି ।

ସେ କହିଛନ୍ତି ବିଜେଡି ନେତା କ୍ଷମତାରୁ ହଟିବା ପରେ ହିଂସ୍ର ସାଜିଛନ୍ତି । ଡିଜି ଅଫିସ ପାଖରେ ବସି ଯାତ୍ରା କରିବା ଏସବୁ ଭଣ୍ଡାମି,ବାଚଳାମି, ପାଗଳାମି। ମିଥ୍ୟା ଆରୋପ ଲଗାଇ ସୋସିଆଲ୍‌ ମିଡିଆରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଘଟଣା ଯାହାବି ହେଉ, ଯିଏ ଦୋଷୀ ହୁଅନ୍ତୁ, ପୋଲିସ୍ ଗିରଫ କରୁ । ରାଜ୍ୟରେ ଯେଉଁଠି ଆଇନ ଶୃଙ୍ଖଳା ବ୍ୟାହତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରାଯାଉଛି । ଧର୍ମଶାଳାରେ ଆଜି ଯାହା ବି ଘଟଣା ଘଟିଛି, ପୁଲିସ ସ୍ୱାଧୀନ ଭାବେ କୌଣସି ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବ ।

ସେ ଆଉ ମଧ୍ୟ କହିଛନ୍ତି କାଲି ଯେଉଁ ଘଟଣା ଘଟିଛି, ସେଥିପାଇଁ ମୁଁ ମର୍ମାହତ ଓ ଦୁଃଖିତ । କିନ୍ତୁ ବିନା ଅନୁମତି ଡିଜି ଅଫିସ୍‌ ସମ୍ମୁଖରେ ଜବରଦସ୍ତି ବସି ପ୍ରହସନ କରୁଛନ୍ତି । ଏହା ସିଧା ସିଧା ସୂଚାଉଛି ଯେ ତାଙ୍କର ରାଜନୈତିକ ସ୍ତରରେ ସେମାନେ ହ୍ରାସ ପାଉଛନ୍ତି । ବିଗତ ଦିନରେ ସେହି ଅଞ୍ଚଳରେ ଏକ ହତ୍ୟା ହୋଇଥିଲା କିନ୍ତୁ କେହି ଥାନାକୁ ଯାଇନଥିଲେ । କେଉଁଠି ଫାର୍ମ ଅଛି, କେଉଁଠି ଭୋଜି ହୋଇଛି ତାହା ବିଷୟରେ ଜ୍ଞାତ ନୁହଁନ୍ତି । ସାମାଜିକ ଗଣମାଧ୍ୟମରୁ ଘଟଣା ସମ୍ପର୍କରେ ଜାଣିଲେ । ଆଇନ ତା ହିସାବରେ କାମ କରିବ, ଯେଉଁମାନେ ଦୋଷୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧର୍ମଶାଳା ଥାନା, ଜେନାପୁର ଥାନା କିମ୍ବା ଯାଜପୁର ଏସପି କାର୍ଯ୍ୟାଳୟ ପାଖରେ ବସନ୍ତୁ । କିନ୍ତୁ ଡିଜି ଅଫିସ ସାମ୍ନାରେ ବସି ଯାତ୍ରା କରିବା ଏସବୁ ଭାଣ୍ଡାମି, ବାଚଳାମି, ପାଗଳାମି । ଦଳ ମତ ନିର୍ବିଶେଷରେ ଧର୍ମଶାଳା ଜନ ସାଧାରଣଙ୍କ ସଦାସର୍ବଦା ଛିଡ଼ା ହୋଇଛି । ଯିଏ ମାଡ଼ ଖାଇଛନ୍ତି ସେ ଧର୍ମଶାଳାର ମୋ ଲୋକ, କୌଣସି ଦଳର କର୍ମୀ ନୁହଁନ୍ତି । ଏଥିପାଇଁ ଏସପିଙ୍କ ସହିତ ଆଲୋଚନା କରିଛନ୍ତି । ଯେଉଁମାନେ ଦୋଷୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *