ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପାଟଣା ଗାଁରେ ପୁଣି ଏକ ନିର୍ଦ୍ଦୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଏହି ମର୍ମନ୍ତୁଦ ଘଟଣାର ଏକ ସିସିଟିଭି ଫୁଟେଜ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୃତ ଯୁବକ ଜଣକ ହେଉଛନ୍ତି ସ୍ମୃତିରଞ୍ଜନ ମାର୍ଥା। ପୂର୍ବ ବିବାଦକୁ ନେଇ ଘଟିଥିବା ଏହି ଆକ୍ରମଣ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଜମି ବିକ୍ରି ଓ ଅନ୍ୟାନ୍ୟ ମାମଲାକୁ ନେଇ ସ୍ଥାନୀୟ କିଛି ଲୋକଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା। ଗତ ମଙ୍ଗଳବାର ଏକ ସାମାନ୍ୟ କଥାକୁ ନେଇ ବଚସା ହେବା ପରେ ବିପକ୍ଷ ଗୋଷ୍ଠୀର ଲୋକେ ସଂଘବଦ୍ଧ ହୋଇ ସ୍ମୃତିରଞ୍ଜନ ଓ ତାଙ୍କ ଭାଇଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କୁ ଲୁହା ରଡ୍ ଓ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ରରେ ନିଷ୍ଠୁର ଭାବେ ପିଟାଯାଇଥିଲା, ଯାହାଫଳରେ ସେ ଗୁରୁତର ଆହାତ ହୋଇ ଛାତିରେ ଗଭୀର ଆଘାତ ପାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ୩ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏହା ପରେ ଆଖପାଖ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୋଲିସର ନିଷ୍କ୍ରିୟତାକୁ ଅଭିଯୋଗ କରି ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ବାଲିଅନ୍ତା ଥାନା ଘେରାଉ କରିଥିଲେ। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମସ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି।

ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଏବଂ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *