Mahanadi Water Dispute: BJD Supremo Slams BJP-Led Odisha Govt
ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ବିଜେପି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଜି ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ ଉପସ୍ଥିତ ନ ଥିବାରୁ ନବୀନ ରାଜ୍ୟ ସରକାରଙ୍କ ଭୂମିକା ନେଇ ସନ୍ଦେହ ପ୍ରକାଶ କରିଛନ୍ତି
 
ନବୀନ ପଟ୍ଟନାୟକ କହିଛନ୍ତି, ମହାନଦୀର ସୁରକ୍ଷାଠାରୁ କ’ଣ ଆଉ ଗୁରୁତ୍ୱପୂର୍ଣ୍ଣ କାମ ରହିଲା ଯେ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ଆଡଭୋକେଟ୍ ଜେନେରାଲ ଉପସ୍ଥିତ ରହିଲେ ନାହିଁ? ଏହା ସ୍ପଷ୍ଟ କରୁଛି ଯେ, ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ସରକାର ମହାନଦୀ ଜଳ ବିବାଦକୁ ଗମ୍ଭୀରତାର ସହ ନେଉ ନାହାଁନ୍ତି ।
 
ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ ହେଉଛି ମହାନଦୀ । ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି ।
 
ନବୀନ କହିଛନ୍ତି, ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ । ଓଡ଼ିଶାବାସୀଙ୍କ ସହ ମିଶି ମହାନଦୀର ସୁରକ୍ଷା ପାଇଁ ବିଜୁ ଜନତା ଦଳ ଅନେକ ବଡ଼ ସଂଗ୍ରାମ କରିବାକୁ ପ୍ରସ୍ତୁତ ।

By Nirvay

Leave a Reply

Your email address will not be published. Required fields are marked *