ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ ଘୋଷଣା କରାଯିବା ପରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଓଡ଼ିଶା ସରକାର ଅଧିକ ତତ୍ପର ହୋଇଉଠିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଡ଼ୋଶୀ ରାଜ୍ୟର ଅନୁପ୍ରବେଶ ଓ ଗତିବିଧି ଉପରେ କଡ଼ା ନଜର ରଖିବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପାଇଁ କୋଟିଆରେ ପୁଲିସ ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ନିୟୋଜିତ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସୀ କକ୍ଷରୁ ପରିଚାଳିତ ଏହି ବୈଠକରେ ଗୃହ ସଚିବ, ରାଜସ୍ୱ ସଚିବ, ଆଡଭୋକେଟ୍ ଜେନେରାଲ୍ , ଦକ୍ଷିଣାଞ୍ଚଳ RDC ଏବଂ କୋରାପୁଟ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।

କୋଟିଆର ସୁରକ୍ଷା ଓ ଅଧିକାର ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟରେ ପୂର୍ବରୁ ପଡ଼ିରହିଥିବା ଅଦାଲତ ଅବମାନନା ଆବେଦନକୁ ପୁନର୍ଜୀବିତ କରାଯିବ କିମ୍ବା ଆବଶ୍ୟକ ପଡ଼ିଲେ ନୂଆ ଆବେଦନ ଦାଖଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ପୂର୍ବତନ ବିଜେଡି ସରକାରଙ୍କ ଆଇନଗତ ପ୍ରସ୍ତୁତି ଓ ପଦକ୍ଷେପକୁ ନେଇ କଡ଼ା ସମାଲୋଚନା କରିଛନ୍ତି।

ବୈଠକ ପରେ ପ୍ରତିକ୍ରିୟା ରଖି ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, କୋଟିଆ ଅଞ୍ଚଳ ଉପରେ କୋରାପୁଟ ଜିଲ୍ଲାପାଳ ଏବଂ ଏସପି ନିୟମିତ ଭାବେ କଡ଼ା ନଜର ରଖିବେ। ତୃଣମୂଳ ସ୍ତରରେ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକଳାପ ଓ ଗତିବିଧି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ଭାବେ ରିପୋର୍ଟ ପ୍ରଦାନ କରାଯିବ। ସେହି ଜିଲ୍ଲାପାଳ ଓ ଏସପିଙ୍କ ରିପୋର୍ଟକୁ ଆଧାର କରି ରାଜ୍ୟ ସରକାର ଆଗାମୀ ଦିନରେ ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହାସହ ୨୦୨୨ ମସିହା ଠାରୁ ଓଡ଼ିଶା ବର୍ତ୍ତମାନ କୋଟିଆ ପ୍ରସଙ୍ଗରେ ଏକ ବହୁତ ଭଲ ଓ ମଜବୁତ୍ ସ୍ଥିତିରେ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *