ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଘଣ୍ଟା ଧରି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନ୍ୟ ପଦାକାରୀଙ୍କ ସହ ଆଲୋଚନା କରିଥିଲେ, ସେମାନଙ୍କୁ ଏକାଠି ହୋଇ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଏହି ଆଲୋଚନାର ୨୪ ଘଣ୍ଟା ଭିତରେ ଦଳର ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ଯେଉଁ ତେରେଛା ବାଣ ମାରି ଛନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନାଁ ନନେଇ ଦଳର ପ୍ରଭାବଶାଳୀ ନେତା ଙ୍କୁ ଟାର୍ଗେଟ କରିବା । ହଁ ନିଜକୁ ଜଣେ ତଡ଼ାଖିଆ ନେତା କହିବାକୁ ପଛାଇ ନାହାନ୍ତି । କାର୍ଯ୍ୟକ୍ରମଟି ଥିଲା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା । ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ଯକ୍ଷତାରେ ଏହି ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ଦଳର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ । ସମୀର ଦେଙ୍କ ନୀତି, ଆଦର୍ଶ, ନେତୃତ୍ବ ନେବା ଦକ୍ଷତା ପ୍ରସଙ୍ଗରେ ସମସ୍ତେ ମତ ରଖିଥିଲେ । ହେଲେ ଜୟନାରାୟଣ ଏହି ସଭାରେ ଯେଉଁ କଥା ପରୋକ୍ଷରେ ରଖିଛନ୍ତି ତାହା ଯଦି ସତ ତେବେ ନିଶ୍ଚିତ ସାଂଘାତିକ । ଜୟନାରାୟଣ କହିଥିଲେ ଯେ ମୁଁ ଭାଜପାରୁ, ଏବିଭିପିରୁ, କଲେଜରୁ, ସ୍କୁଲ୍ରୁ ତଡ଼ା ଖାଇଛି । ମୁଁ ଜଣେ ତଡ଼ାଖିଆ ଲୋକ । ଭାଜପାରେ ଏବେ ସାଇଡ୍ ଲାଇନ୍ ଅଛି । ଏହା ମୋ’ ଜୀବନର ଏକ ଅଂଶ । ପୂର୍ବରୁ ସମୀର ଦେଙ୍କ ସହ ଯାହା ଘଟିଥୁଲା ଏବେ ତା’ ମୋ’ ସହ ଘଟୁଛି । ସମୀର ଦେଙ୍କୁ ଦଳ ଯେପରି ଗୁରୁତ୍ବ ଦେବା କଥା ଦେଇନଥିଲା । ମତେ ମଧ୍ଯ ଗୁରୁତ୍ବ ଦିଆଯାଉନାହିଁ । କଟକରେ ଯେପରି ତାଙ୍କ ବିରୋଧରେ ଲୋକ ଲଗାଯାଇଥୁଲା ଏବେ ମୋ’ ବିରୋଧରେ ମଧ୍ଯ ଲୋକ ଲଗାଯାଉଛି । ଏହା ପାର୍ଟିର ଯୋଜନାବଦ୍ଧ କାର୍ଯ୍ୟକ୍ରମ । ସମୀରଙ୍କୁ ଯେଉଁ ରୋଗ ହୋଇଥୁଲା ସେଇ ରୋଗ ମୋତେ ବି ହେଇଥିଲା। କିନ୍ତୁ ସେ ଚାଲିଗଲେ କିନ୍ତୁ ମୁ ବଞ୍ଚିଛି। ଜୟନାରାୟଣଙ୍କ ଏହି ମନ୍ତବ୍ୟ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ବଡ଼ ପ୍ରଶ୍ନ ଜୟନାରାୟଣ କେଉଁ ପ୍ରଭାବଶାଳୀ ନେତାଙ୍କୁ ଟାର୍ଗେଟ କରିଛନ୍ତି ? ତାଙ୍କ ଗୁରୁତ୍ବ ଦଳରେ କମାଇଛି କିଏ ? ତାଙ୍କ ପଛରେ କିଏ ଓ କାହିଁ କି ଲୋକ ଲଗାଇଛି ? ଜୟନାରାୟଣଙ୍କ ଏହି ବିସ୍ଫୋରକ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଆମ ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଏ । କାର୍ଯ୍ୟକର୍ତ୍ତାଙ୍କୁ ଉଚିତ୍ ସମ୍ମାନ ମିଳେ । କାହାକୁ ପାତର ଅନ୍ତର କରାଯାଏ ନାହିଁ । ଆପଣମାନେ ଯାହା ଶୁଣିଛନ୍ତି ସେମିତି ସେ କିଛି କହିନାହାନ୍ତି । Post navigation ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ ନୌସେନା ଦିବସ ପାଳନ ନେଇ ପୁରୀ ଜିଳ୍ଳାପାଳ ଓ ନୌସେନା ଅଧିକାରୀଙ୍କ ସୂଚନା