ଇତିଶ୍ରୀ ପ୍ରଧାନ ବୋଲି ଜଣେ ଶିକ୍ଷୟତ୍ରୀ ଥିଲେ। ଶଙ୍ଖ ନେତାମାନେ ନିହାତି ନାଁ ଶୁଣିଥିବେ । ସେ ନିଜେ ଦିହରେ ନିଆଁ ଲଗାଇ ମରିନଥିଲେ। କେହି ଜଣେ ତାଙ୍କ ଦିହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା । ବିଚାରା ଇତିଶ୍ରୀ ରାୟଗଡା ଜିଲ୍ଲାର ଟିକିରି ୟୁପି ସ୍କୁଲର ଠିକା ଶିକ୍ଷୟତ୍ରୀ ଥିଲେ । ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ସହ ଲଢିଲଢି ଶେଷରେ ଆରପାରିକୁ ଚାଲିଗଲେ । ଶଙ୍ଖ ନେତାମାନେ ଏକଥା ବି ଭୁଲି ନଥିବେ । ମରିବାର ଯଥେଷ୍ଟ ପୂର୍ବରୁ ସ୍କୁଲ ପରିଦର୍ଶକ ନିତ୍ୟାନନ୍ଦ ଦଣ୍ଡସେନା ତାଙ୍କୁ ଯୌନ ନିର୍ଯାତନା ଦଉଥିଲେ ବୋଲି ଇତିଶ୍ରୀ କାହାକୁ ଜଣାଇନଥିଲେ କି ? ସାଂସଦ ଜୟରାମ ପାଙ୍ଗିଙ୍କଠୁ ଆରମ୍ଭ କରି ତତ୍କାଳୀନ ସିଏମ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ । କିନ୍ତୁ ତାଙ୍କ ଅଭିଯୋଗର କି ବିଚାର କରିଥିଲେ ବାବୁ ନବୀନ ? ମୃତ୍ୟୁ ପୂର୍ବରୁ ଜମାନବନ୍ଦୀରେ ନବୀନଙ୍କ ନାଁ ମଧ୍ଯ ନେଇଥିଲେ ଇତିଶ୍ରୀ । ଶଙ୍ଖ ନେତାମାନେ ଭୁଲି ଯାଇଥିବେ ବୋଧେ। ଆମେ ସେମାନଙ୍କୁ ମନେପକାଇ ଦଉଚୁ । ଜୟରାମ ଇସ୍ତଫା ଦେଇଥିଲେ କି ? ଇସ୍ତଫା ଦେଇଥିଲେ କି ନବୀନ ? ନିଜ ଅଗଣାକୁ ଥରେ ଭଲ କି ଅନେଇ ଦିଅନ୍ତୁ ଶଙ୍ଖ ନେତାମାନେ । ବିଶେଷ କରି ଦଳର ନେତ୍ରୀମାନେ । କୁନ୍ଦୁଲି କଥା ଭୁଲି ଯାଇଥିବେ ଶଙ୍ଖ ନେତାମାନେ । ଆଦିବାସୀ ଝିଅଟି କହିଲା ଗଣବଳାତ୍କାର ହେଇଚି । ଶଙ୍ଖ ଦଳିଆ କହିଲେ ମିଛ । ଏମିତିକି ଜଣେ ପୁଲିସ ବଡ଼ବାବୁ ଅଭିଯୋଗ ଫେରାଇ ନବାକୁ ଟଙ୍କା ବି ଯାଚିଥିଲେ । କଂଗ୍ରେସର ବଡ଼ନେତା ପ୍ରଦୀପ ମାଝି ଓ ଆଉ ଜଣେ ବିଧାୟକ ଧାରଣା ବି ଦେଇଥିଲେ । କିନ୍ତୁ ହାତଦଳର କିଛି ନେତା ଶଙ୍ଖୁଆଙ୍କଠୁ ପଇସା ନେଇ ପ୍ରଚାର କଲେ ଝିଅଟା ମିଛ କହୁଚି । ଶେଷରେ ଆଦିବାସୀ ଝିଅଟା ଆତ୍ମହତ୍ୟା କରିଥିଲା । ଭୁଲିଗଲେ କି ଶଙ୍ଖ ଓ ହାତ ଦଳର ନେତାମାନେ ? ମମିତା କଥା ନକହିବା ଭଲ । ସେ ବି ଥିଲା ଜଣେ ଶିକ୍ଷୟତ୍ରୀ । ତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା। କଲେଜ ଷ୍ଟାଡିୟମରେ ଗାତ ଖୋଳି ଦରପୋଡା ଅବସ୍ଥାରେ ପୋତି ଦେଲା। ନାଁ ଉଠିଲା ମନ୍ତ୍ରୀ ଦିବ୍ୟଶଙ୍କରଙ୍କର। ମମିତାଙ୍କ ପରିବାର ଲୋକ ଏହି ଅଭିଯୋଗ ପ୍ରଥମେ କରିଥିଲେ। ଟଙ୍କା ଓ ଚାକିରି ଦେଇ ପାଟି ବନ୍ଦ କରିଦିଆଗଲା। ଦିବ୍ୟଶଙ୍କର ଇସ୍ତଫା ଦେଇଥିଲେ କି ? ଥରେ ମନକୁ ପଚାରନ୍ତୁ ଶଙ୍ଖ ନେତାମାନେ । କୁଆଡେ ଗଲା ମମିତାଙ୍କ ଲ୍ୟାପଟପ ଓ ପେନଡ୍ରାଇଭ ? ଏକଥା ମନେଅଛିଟି ଶଙ୍ଖ ଓ ହାତ ନେତାଙ୍କର ? ଗୋବିନ୍ଦ ଶେଷରେ ଜେଲରେ ମଲା । ତାକୁ ମାରିଦିଆଗଲା ବୋଲି ଅଭିଯୋଗ ବି ଉଠିଲା । ଏବେ ସୌମ୍ୟା ଘଟଣାରେ ଶଙ୍ଖ ଓ ହାତନେତାମାନେ ଛାତି ପିଟିଲା ବେଳେ ଆପଣମାନଙ୍କୁ ହସ ମାଡ଼ୁନି କି ? Post navigation ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍