ବିଶ୍ବଭୂଷଣ ମିଶ୍ର: ଭଗବାନ ରାମଙ୍କ ପରମଭକ୍ତ, ଶକ୍ତି, ଭକ୍ତି ଏବଂ ନିସ୍ୱାର୍ଥ ସେବାର ପ୍ରତୀକ ହେଉଛନ୍ତି ହନୁମାନ। ଅଞ୍ଜନୀପୁତ୍ର ହନୁମାନଙ୍କ ପରାକ୍ରମ କାହାକୁ ଅଛପା ନୁହେଁ। ମେଘନାଦଙ୍କ ବାଣରେ ଲକ୍ଷ୍ମଣ ମୂର୍ଚ୍ଛିତ ହେବା ପରେ ତାଙ୍କ ପ୍ରାଣ ବଞ୍ଚାଇବା ପାଇଁ ହନୁମାନ ହିମାଳୟରୁ ସଞ୍ଜିବନୀ ବୁଟି ଆଣିବାକୁ ଯାଇଥିଲେ। ଗନ୍ଧମାର୍ଦ୍ଦନ ପର୍ବତରେ ଏହା ଥିବା ଜାଣିଥିଲେ ମଧ୍ୟ ଚିହ୍ନିପାରିନଥିଲେ ସଞ୍ଜିବନୀ ବୁଟି କେଉଁଟି? ତେଣୁ ସେ ପୂରା ପର୍ବତକୁ ଉଠାଇ ଲଙ୍କାକୁ ଆସିଥିଲେ, ଲକ୍ଷ୍ମଣଙ୍କ ଜୀବନ ବଞ୍ଚିଯାଇଥିଲା। କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ମଲ୍ଲିପଶି ଗ୍ରାମର ଆଦିବାସୀ ଜିତୁ ମୁଣ୍ଡା ମଧ୍ୟ ଠିକ୍ ସେହିପରି ହନୁମାନ କରିଥିବା କିଛି କାର୍ଯ୍ୟ କରିଛନ୍ତି। ହନୁମାନ ଭକ୍ତି ଓ ଶକ୍ତିର ପ୍ରମାଣ ଦେଇଥିଲେ। ହେଲେ ଜିତୁ କିନ୍ତୁ ସରକାରୀ ବ୍ୟବସ୍ଥା ବିଶେଷ କରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଥିବା ବଡ଼ ତ୍ରୁଟିକୁ ନିଜ କାର୍ଯ୍ୟ ମାଧ୍ୟମରେ ଉଜାଗର କରିଛନ୍ତି, ଏବଂ ଜଣାଇଦେଇଛନ୍ତି ବ୍ୟବସ୍ଥାରେ ଥିବା ନିୟମ କିପରି ସାଧାରଣ ଲୋକଙ୍କୁ ଦେଉଛି ଯନ୍ତ୍ରଣା। ୩ ମାସ ତଳୁ ମରିଯାଇଥିବା ନିଜ ଭଉଣୀ କାଲରା ମୁଣ୍ଡାଙ୍କ କଙ୍କାଳକୁ ମଶାଣିରୁ ଖୋଳି ବାହାର କରିବା, ୩ କି.ମି କଙ୍କାଳକୁ ହାତରେ ଧରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସୂଚାଇଦେଉଛି ଯେ, ଲୋକଙ୍କ ସେବାରେ ଆମେ ସବୁବେଳେ ବୋଲି କହୁଥିବା ବ୍ୟାଙ୍କ ଏବଂ ଏହାର କର୍ମଚାରୀମାନେ କେତେ ତତ୍ପର ଗ୍ରାହକ ସେବାକୁ ନେଇ। ଭଉଣୀର ମୃତ୍ୟୁ ପରେ ବ୍ୟାଙ୍କରେ ଥିବା ୧୯,୩୦୦ ଟଙ୍କାକୁ ଉଠାଇବା ପାଇଁ ଅନେକ ଥର ସ୍ଥାନୀୟ ଗ୍ରାମୀଣ ବ୍ୟାଙ୍କକୁ ଯାଇଥିଲେ ଜିତୁ। ହେଲେ କର୍ମଚାରୀଙ୍କ ଗୋଟିଏ ଜିଦ୍ ଥିଲା ଖାତାଧାରକଙ୍କୁ ନେଇ ଏଠାକୁ ଆସ। କର୍ମଚାରୀଙ୍କୁ ମଧ୍ୟ ଜିତୁ ଭଉଣୀ ମରି ଯାଇଥିବା କହିଥିଲେ ମଧ୍ୟ ତାଙ୍କୁ କେହି ଜଣେ ବି ସହଯୋଗ କରିନଥିଲେ। ନିରୀହ ଆଦିବାସୀ ଜିତୁ ମଧ୍ୟ ଜାଣନ୍ତି ନାହିଁ ମୃତ୍ୟୁ ପରେ କିପରି ବାହାରେ ମୃତ୍ୟୁ ପ୍ରମାଣପତ୍ର, କିପରି ତିଆରି ହୁଏ ଉତ୍ତରାଧିକାରୀ କାଗଜ। କେହି ସହଯୋଗ କଲେ ନାହିଁ, ପରାମର୍ଶ ମଧ୍ୟ ଦେଲେ ନାହିଁ। ଆଉ ବ୍ୟାଙ୍କରେ ଭଉଣୀ ମରିଛି ବୋଲି ବ୍ୟାଙ୍କକୁ ପ୍ରମାଣ ଦର୍ଶାଇବା ପାଇଁ ୩ ମାସ ତଳେ ମଶାଣିରେ ପୋତିଥିବା ଭଉଣୀର ଶବକୁ ସେ କାଢିବାକୁ ବାଧ୍ୟ ହୋଇଥିଲେ। ମଲ୍ଲିପଶି ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ସେତେବେଳେ ସେ କଙ୍କାଳ ଧରି ପହଞ୍ଚିଲେ ସେତେବେଳେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଜିତୁ ପାଠ ପଢି ନାହାନ୍ତି କି ଆଇନ ପ୍ରକ୍ରିୟା କ’ଣ ଜାଣିନାହାଁନ୍ତି। ମାତ୍ର ତାଙ୍କର ଏହି କଙ୍କାଳବୁହା ଚିତ୍ର ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ପରେ ନିଦ ଭାଙ୍ଗିଛି ପ୍ରଶାସନର। ଜିତୁଙ୍କୁ ବୁଝାଯାଇଛି, ଖୁବ୍ ଶୀଘ୍ର ଟଙ୍କା ଉଠାଇବାର ପ୍ରତିଶୃତି ମଧ୍ୟ ଦିଆଯାଇଛି। ଆଉ ଏହାପରେ ଜିତୁ ପୁଣି ଥରେ କଙ୍କାଳକୁ ଧରି ପହଞ୍ଚିଥିଲେ ମଶାଣିରେ ଏବଂ ପୋତିଥିଲେ ମଧ୍ୟ। ଜିତୁ ସିନା ଜାଣିନଥିଲେ ଆଇନ ଏବଂ ଉତ୍ତରାଧିକାରୀ ପ୍ରକ୍ରିୟା କ’ଣ ହେଲେ କାହିଁକି ବ୍ୟାଙ୍କ ଅଧିକାରୀ ମୃତକଙ୍କ ଖାତାରୁ ଟଙ୍କା ଉଠାଇବାର ପ୍ରକ୍ରିୟା ବୁଝାଇପାରିନଥିଲେ ଜିତୁଙ୍କୁ ତାହା ଏବେ ବଡ଼ ପ୍ରଶ୍ନବାଚୀ। ଜିତୁଙ୍କ ବଡ଼ ଭଉଣୀ କାଲରା ମୁଣ୍ଡାଙ୍କ ମୃତ୍ୟୁ ଗତ ୨୨ ତାରିଖରେ ହୋଇଥିଲା। କାଲରାଙ୍କ ବ୍ୟାଙ୍କ ଖାତାରେ ନୋମିନି ଥିବା ସ୍ୱାମୀ ଏବଂ ପୁଅର ମଧ୍ୟ ପୂର୍ବରୁ ମୃତ୍ୟୁ ହୋଇସାରିଛି। ତେଣୁ ତାଙ୍କ ନାମରେ ଥିବା ଜମା ଅର୍ଥର ଏକମାତ୍ର ଦାବିଦାର ହେଉଛନ୍ତି ସାନଭାଇ ଜିତୁ। ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସେ ପଇସା ଉଠାଇବା ପାଇଁ ବାଧ୍ୟ ହୋଇଥିଲେ। ଆଉ ଏହି ଟଙ୍କା ପାଇଁ ତାଙ୍କୁ ଉଠାଇବାକୁ ପଡ଼ିଲା କଙ୍କାଳ। ଠିକ୍ ଯେପରି ଜଡ଼ିବୁଟି ଚିହ୍ନି ପାରିନଥିବା କାରଣରୁ ହନୁମାନ ଗନ୍ଧମାର୍ଦ୍ଦନ ଉଠାଇଥିଲେ ଠିକ୍ ସେହିପରି ଆଇନ ବ୍ୟବସ୍ଥା ଜାଣିନଥିବାରୁ, ବ୍ୟାଙ୍କ ଅଧିକାରୀ ସହଯୋଗ ନକରିବାରୁ କଙ୍କାଳ ଉଠାଇଲେ ଜିତୁ। Post navigation Odisha Govt Remains Clueless: କାମ କମ୍ କଥା ବେଶି