gujarat-based-rajesh-pawar-gets-rs-211-68-cr-optcl-contract
ରାଜ୍ୟର ବିଦ୍ୟୁତ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ପକ୍ଷରୁ ରାଜେଶ ପାୱାର ସର୍ଭିସେସ୍ ଲିମିଟେଡ୍‌କୁ ୨୧୧.୬୮ କୋଟି ଟଙ୍କାର ଏକ ବୃହତ ପ୍ରକଳ୍ପ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ସହିତ ଗୁଜୁରାଟର ଏହି କମ୍ପାନି ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ପ୍ରବେଶ କରିଥିବା ବେଳେ ଏହାକୁ ଏହାର ଟ୍ରାନ୍ସମିସନ୍ କ୍ଷେତ୍ରର ଅନ୍ୟତମ ବଡ଼ ସଫଳତା ଭାବେ ଦେଖାଯାଉଛି ।
 
କମ୍ପାନି ପକ୍ଷରୁ ବୁଧବାର ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରକଳ୍ପ ଅଧୀନରେ ମେଣ୍ଢାଶାଳ ଗ୍ରିଡ୍ ସବ୍‌ଷ୍ଟେସନ୍ (ଜିଏସ୍‌ଏସ୍) ଓ ଚନ୍ଦକା-ବି ଗ୍ୟାସ୍ ଇନସୁଲେଟେଡ୍ ସବ୍‌ଷ୍ଟେସନ୍ (ଜିଆଇଏସ୍) ମଧ୍ୟରେ ୨୨୦ କେଭି ଭୂତଳ ବିଦ୍ୟୁତ ପରିବହନ କେବୁଲ୍ ନିର୍ମାଣ କରାଯିବ। ଏହା ସହ ମେଣ୍ଢାଶାଳରେ ଏୟାର୍ ଇନସୁଲେଟେଡ୍ ସବ୍‌ଷ୍ଟେସନ୍ (ଏଆଇଏସ୍) ବେ’ ଓ ଚନ୍ଦକା-ବିରେ ଜିଆଇଏସ୍ ବେ’ର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ କରାଯିବ।
 
କମ୍ପାନିର ପରିଚାଳନା ନିର୍ଦ୍ଦେଶକ କୁରାଙ୍ଗ ପଞ୍ଚାଲ କହିଛନ୍ତି ଯେ, ଓପିଟିସିଏଲ୍‌ରୁ ମିଳିଥିବା ଏହି ଠିକା କମ୍ପାନି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ୍ । ଏହା କମ୍ପାନିର କାର୍ଯ୍ୟଦକ୍ଷତା ଓ ବୈଷୟିକ କ୍ଷମତା ପ୍ରତି ବିଦ୍ୟୁତ କ୍ଷେତ୍ରର ସଂସ୍ଥାଗୁଡ଼ିକର ବିଶ୍ୱାସକୁ ପ୍ରତିଫଳିତ କରୁଛି। ଓଡ଼ିଶାର ବିଦ୍ୟୁତ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆଧୁନିକ କରିବାରେ କମ୍ପାନି ଓପିଟିସିଏଲ୍ ସହ ମିଶି କାମ କରିବ ବୋଲି ସେ କହିଛନ୍ତି ।
 
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ ପରିବହନ କ୍ଷମତା ବୃଦ୍ଧି ପାଇବା ସହ ବଢ଼ୁଥିବା ଚାହିଦା ପୂରଣରେ ସହାୟକ ହେବ । ଏଥିସହ ରାଜ୍ୟର ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ ପ୍ରକ୍ରିୟାକୁ ମଧ୍ୟ ଗତି ମିଳିବ ।
 
ଉଲ୍ଲେଖଯୋଗ୍ୟ, ରାଜେଶ ପାୱାର ସର୍ଭିସେସ୍ ଲିମିଟେଡ୍ ବର୍ତ୍ତମାନ ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବିଦ୍ୟୁତ ପରିବହନ ଓ ବିତରଣ କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଭୂତଳ କେବୁଲିଂ, ଉଚ୍ଚ ଭୋଲ୍ଟେଜ୍ ଟ୍ରାନ୍ସମିସନ୍ ବ୍ୟବସ୍ଥା ଏବଂ ସବ୍‌ଷ୍ଟେସନ୍ ନିର୍ମାଣରେ କମ୍ପାନିର ବିଶେଷ ଦକ୍ଷତା ରହିଛି ।

By Nirvay

Leave a Reply

Your email address will not be published. Required fields are marked *