ବାଲେଶ୍ଵର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଘଟିଥିବା ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିଷ୍କ୍ରିୟତା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାମନ୍ତସିଂହାର କହିଥିଲେ, ମାତ୍ର ଦଶ ବର୍ଷର ଏକ ଆଦିବାସୀ ନାବାଳିକାର ଦୁଷ୍କର୍ମ ଓ ହତ୍ୟା ଲୋକଲୋଚନକୁ ଆସିବା ଦୁଇ ଦିନରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା, ପ୍ରଶାସନିକସ୍ତରରେ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଉକ୍ତ ନାବାଳିକା ୨୭ ଅଗଷ୍ଟ ଦିନ ଅପହୃତ ହୋଇଥିଲା ଓ ନାବାଳିକାର ପରିବାର ସେହିଦିନ ହିଁ ରେମୁଣା ଥାନାରେ ଖବର ଦେଇଥିଲେ, କିନ୍ତୁ ପୋଲିସ ତରଫରୁ କୌଣସି ତତ୍ପରତା ଦେଖା ଯାଇନଥିଲା ।

ଅଗଷ୍ଟ ୩୦ ତାରିଖରେ ସେହି ନାବାଳିକାର ଅର୍ଦ୍ଧ ଗଳିତ ଶବ ପୋଲିସ ଦ୍ଵାରା ଉଦ୍ଧାର କରାଯାଇଥିଲା । ଏହି ଅପରାଧ ପୋକ୍‌ସୋ ଆକ୍ଟ ଅନ୍ତର୍ଭୁକ୍ତ ହୋଇଥିବାରୁ, ଏହି ଆଇନ୍ ବ୍ୟବସ୍ଥା ଅନୁଯାୟୀ, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକା ପରିବାରକୁ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ଏହାକୁ ପ୍ରଣୟନ କରିବା ପାଇଁ ସରକାରଙ୍କ ତରଫରୁ କୌଣସି ଉଦ୍ୟମ କରାଯାଇନାହିଁ । ସରକାରଙ୍କ ନିଷ୍କ୍ରିୟତାରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି ଯେ ବର୍ତ୍ତମାନର ସରକାର ହେଉଛନ୍ତି ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଓ ଶିଶୁ ବିରୋଧୀ । ରାଜ୍ୟରେ ନୂତନ ସରକାର ଦାୟିତ୍ଵ ନେବା ପ୍ରାୟ ତିନି ମାସ ବିତି ଯାଇଥିଲେ ସୁଦ୍ଧା ସରକାର ଏବେବି ମଧୁଚନ୍ଦ୍ରିକା ସମୟ ଦେଇ ଗତି କରୁଛନ୍ତି । ସମ୍ଭବତଃ ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ଏହି ମଧୁଚନ୍ଦ୍ରିକା ସମୟ ଜାରି ରହିବ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ ।

ଆକ୍ଟରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକାର ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ତ୍ବରିତ ପଦକ୍ଷେପ ନେବା ପାଇଁ ଦାବି କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ଓ ପୋକ୍‌ସୋ ଆକ୍ଟ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ ଦଶ ଲକ୍ଷ ଟଙ୍କା ପରିବାରକୁ ପ୍ରଦାନ କରାଯାଉ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *